ନୂଆଦିଲ୍ଲୀ,୩୦/୧୨: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡଙ୍କ ନାଁ କହି ମୁମ୍ବାଇର ଜଣେ ମହିଳାଙ୍କ ଠାରୁ ୩.୭ କୋଟି ଟଙ୍କା ଠକି ନେଇଥିବା ଜଣେ ସାଇବର ଠକକୁ ପୁଲିସ ଗୁଜରାଟର ସୁରଟରୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଅଭିଯୁକ୍ତ ଏବେ ବିଦେଶରେ ରହୁଥିବାରୁ ସେମାନଙ୍କୁ ଗିରଫ କରିବା ଲାଗି ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି ।

ସୂଚନା ଅନୁସାରେ ଗତ ଅଗଷ୍ଟ ୧୮ ତାରିଖରେ ଆନେ୍ଧରୀ ୱେଷ୍ଟରେ ରହୁଥିବା ଏହି ମହିଳାଙ୍କ ନିକଟକୁ ଏକ ଫୋନ୍କଲ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ଜଣକ ନିଜକୁ କୋଲାବା ଥାନା ଅଧିକାରୀ ବୋଲି କହିବା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମନି ଲଣ୍ଡରିଂରେ ବ୍ୟବହାର କରାଯାଇଥିବା ଦର୍ଶାଇଥିଲେ । ମାମଲା ବର୍ତ୍ତମାନ ସିବିଆଇକୁ ଚାଲିଯାଇଥିବା କହିଥିଲେ । ପରେ ନିଜକୁ ସିବିଆଇ ଅଫିସର ଏସ୍କେ ଜୟସ୍ୱାଲ ବୋଲି ପରିଚୟ ଦେଇ ଅନ୍ୟ ଜଣେ ବ୍ୟକ୍ତି ସମ୍ପୃକ୍ତ ମହିଳାଙ୍କୁ ଫୋନ୍ କରିଥିଲେ । ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଥିବା ଦର୍ଶାଇ ବ୍ୟାଙ୍କ ଖାତାର ସମସ୍ତ ବିବରଣୀ ମାଗି ନେଇଥିଲେ । ଏହା ପରେ ଅନ୍ୟ ଜଣେ ବ୍ୟକ୍ତି ଭିଡିଓ କଲ୍ କରି ନିଜକୁ ଜଷ୍ଟିସ ଚନ୍ଦ୍ରଚୂଡ ବୋଲି ପରିଚୟ ଦେଇଥିଲେ । ଏହା ପରେ ସାଇବର ଠକମାନେ ସମ୍ପୃକ୍ତ ମହିଳଙ୍କୁ ଡିଜିଟାଲ ଆରେଷ୍ଟ କରି ଅକ୍ଟୋବର ୧୩ ତାରିଖ ଭିତରେ ବିଭିନ୍ନ ସମୟରେ ତାଙ୍କ ଠାରୁ ୩.୭ କୋଟି ଟଙ୍କା ଲୁଟି ନେଇଥିଲେ । ବିଭିନ୍ନ ବ୍ୟାଙ୍କ ଖାତାକୁ ଏହି ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଅକ୍ଟୋବର ୧୩ ପରେ ସାଇବର ଠକଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା ।

ମହିଳା ଜଣକ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ୱେଷ୍ଟ ରିଜିଅନ ସାଇବର ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ମହିଳାଙ୍କ ଠାରୁ ଯେଉଁ ଟଙ୍କା ଲୁଟ ହୋଇଛି ତାହା ବିଭିନ୍ନ ଜାଲି ବ୍ୟାଙ୍କ ଖାତାକୁ ଯାଇଛି । ସେଥିରୁ ଗୋଟିଏ ବ୍ୟାଙ୍କ ଖାତା ସୁରଟରେ ଥିବା ଜଣାପଡିଥିଲା । ପୁଲିସ ତଦନ୍ତ କରି ସେହି ବ୍ୟାଙ୍କ ଖାତାଧାରୀଙ୍କୁ ଧରିଥିଲା । ପୁଲିସ ତାଙ୍କୁ ଜେରା କରିବା ପରେ ସବୁକଥା ସାମ୍ନାକୁ ଆସିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ କହିଥିଲେ ଯେ ସେ ମିଥ୍ୟା କପଡା ବ୍ୟବସାୟ କରିବା ନାଁରେ ବ୍ୟାଙ୍କରେ ଏହି ଖାତା ଖୋଲିଥିଲେ । ସାଇବର ଠକମାନେ ତାଙ୍କ ଆକାଉଣ୍ଟରେ ୧.୭୧ କୋଟି ଟଙ୍କା ଜମା କରିଥିଲେ । ସେ ଏ ବାବଦରେ ୬.୪୦ ଲକ୍ଷ ଟଙ୍କା କମିଶନ ପାଇଛନ୍ତି । ଏହା ପରେ ସେ ଏହି ର୍ୟାକେଟରେ ସମ୍ପୃକ୍ତ ଅନ୍ୟ ଦୁଇ ସାଇବର ଠକଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ।