ନୂଆଦିଲ୍ଲୀ ୨୫/୦୨: ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଜଣାପଡ଼ିଛି, ଦୁଇ ଦଶନ୍ଧି ପୂର୍ବେ ଭାରତରେ ୦.୬% ବିବାହିତ ମହିଳା ଛାଡ଼ପତ୍ର କିମ୍ବା ସ୍ୱାମୀଠୁ ଅଲଗା ରହୁଥିଲେ, ଏବେ ଏହା ପ୍ରାୟ ୧% ହୋଇଛି । ପୁନେ ଅଧ୍ୟୟନ ୧୯୮୬-୮୭ ଅନୁସାରେ, ଛାଡ଼ପତ୍ରର ୮୪୯ ମାମଲାରେ ୫୭୦ (୬୭%) ସ୍ୱାମୀ ପ୍ରଥମେ ବିଚ୍ଛେଦ କଥା ଉଠାଇଥିଲେ । କିନ୍ତୁ ଏବେ ପ୍ରାୟ ୫୮ ପ୍ରତିଶତ ମହିଳା ପ୍ରଥମେ ଛାଡ଼ପତ୍ର ଚାହୁଁଛନ୍ତି ।

ଛାଡ଼ପତ୍ର ନେଇଥିବା ମହିଳା ଓ ପୁରୁଷଙ୍କର କୌଣସି ଏକୀକୃତ ସରକାରୀ ଜାତୀୟ ତଥ୍ୟ ନାହିଁ । କିନ୍ତୁ ଘରୋଇ ରିସର୍ଚ୍ଚ କମ୍ପାନିମାନଙ୍କର ଅଧ୍ୟୟନ ଅନୁସାରେ, ଦେଶରେ ଛାଡ଼ପତ୍ରର ହାରାହାରି ବୟସ ମହିଳାଙ୍କ ମଧ୍ୟରେ ୩୧, ପୁରୁଷଙ୍କ ମଧ୍ୟରେ ୩୬ ବର୍ଷ । ପିଏଲ୍‌ଏଫ୍‌ଏସ୍ ୨୦୧୭-୨୦୨୪ ଅନୁସାରେ, ଭାରତର ସହରାଞ୍ଚଳରେ ଛାଡ଼ପତ୍ର ନେଉଥିବା ପୁରୁଷଙ୍କ ଅନୁପାତ ୦.୩% (୨୦୧୭-୧୮)ରୁ ବଢ଼ି ୦.୫% (୨୦୨୩- ୨୪) ଏବଂ ମହିଳାଙ୍କ ଅନୁପାତ ୦.୬%ରୁ ୦.୭% ହୋଇଛି । ଘରୋଇ ହିଂସା, ପ୍ରତାରଣା କିମ୍ବା ପାରିବାରିକ ଚାପ ଭଳି ବ୍ୟକ୍ତିଗତ କାରଣ ଛାଡ଼ପତ୍ରର ସବୁଠୁ ବଡ଼ କାରଣ ହୋଇଛି । ଶିକ୍ଷିତ ମହିଳା ସେମାନଙ୍କ ନ୍ୟାୟିକ ଅଧିକାରକୁ ଭଲଭାବେ ବୁଝିଛନ୍ତି ଏବଂ ସେଗୁଡ଼ିକର ଉପଯୋଗରେ ଆଦୌ କୁଣ୍ଠିତ ହେଉନାହାନ୍ତି ।

ଆହୁରି ପଢନ୍ତୁ...ପହଲଗାମ୍ ହମ୍‌ଲା ମାଷ୍ଟରମାଇଣ୍ଡର ଧମକ, ଭାରତରେ ୨୬/୧୧ ଭଳି ଆକ୍ରମଣ କରିବୁ

ମୁମ୍ବାଇ ପରିବାର ଅଦାଲତର ଏକ ଅଧ୍ୟୟନ ଅନୁସାରେ, ୪୦ ପ୍ରତିଶତ ମାମଲାରେ ବିବାହର ୩ ବର୍ଷ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଉଛି ଏବଂ ଛାଡ଼ପତ୍ର ଚାହୁଁଥିବା ଅଧିକାଂଶ ମହିଳାଙ୍କ ବୟସ ୨୫-୩୪ ବର୍ଷ । ଏକ ଅଧ୍ୟୟନ ଅନୁସାରେ, ଜାନୁଆରୀ, ସେପ୍ଟେମ୍ବର ଓ ମେ’ରେ ସର୍ବାଧିକ ଛାଡ଼ପତ୍ର ଆବେଦନ ଆସିଛି । ଅକ୍ଟୋବର-ନଭେମ୍ବର, ଡିସେମ୍ବର ଓ ମାର୍ଚ୍ଚରେ ସବୁଠୁ କମ୍ ।