ନୂଆଦିଲ୍ଲୀ ୨୫/୦୨: ଭାରତରେ ୨୬/୧୧ ଭଳି ଆକ୍ରମଣ ଘଟାଇବା ପାଇଁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଇବା (ଏଲ୍ଇ ଟି) ଧମକ ଦେଇଛି । ପହଲଗାମ୍ ହମ୍ଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଏଲ୍ଇଟି ଉପମୁଖ୍ୟ ସୈଫୁଲ୍ଲା କସୁରି ଏକ ଭିଡିଓ ଜରିଆରେ ଏହି ଧମକ ଦେଇଥିବା ଜଣାପଡ଼ିଛି। ଭିଡିଓ ବାର୍ତ୍ତାରେ ଆତଙ୍କୀ ସୈଫୁଲ୍ଲା କହିଛି, ପାକିସ୍ତାନ ୨୦୨୫ରେ ‘ବାୟୁରେ ପତିଆରା’ ଦେଖାଇ ସାରିଛି । ୨୦୨୬ରେ ‘ସମୁଦ୍ରରେ ବି ପ୍ରଭାବ’ ଦେଖାଇବ । ପାକିସ୍ତାନରେ ଶତ୍ରୁଙ୍କ ପାଇଁ କୌଣସି ଆକାଶ ସୁରକ୍ଷିତ ରହିବ ନାହିଁ । ଏହାକୁ ସେ ‘ଆଲ୍ଲାଙ୍କ ମର୍ଜି’ ଦର୍ଶାଇବା ସହ ପାକିସ୍ତାନ ଖୁବଶୀଘ୍ର ସମସ୍ତ ରଣନୀତିକ କ୍ଷେତ୍ର ଉପରେ ନିୟନ୍ତ୍ରଣ ହାସଲ କରିନେବ ବୋଲି କହିଛି । ପ୍ରମୁଖ ଗୁଇନ୍ଦା ସୂତ୍ର ଅନୁସାରେ, ଏହି ବୟାନ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ସାମୁଦ୍ରିକ ଆତଙ୍କୀ ହମ୍ଲାର ପ୍ରାକ୍ ଚେତାବନୀ ଅଟେ । ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ର ୨୦୦୮ରେ ଏଲ୍ଇଟି ହିଁ ରଚିଥିଲା । ଆରବ ସାଗର ମାର୍ଗ ସହାୟତାରେ ଏହି ଆକ୍ରମଣ ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସୈଫୁଲ୍ଲା ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ୨୦୨୫ ମେ’ରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା । ଏଥିରେ ଏଲ୍ଇଟି ସମେତ ବିଭିନ୍ନ ଆତଙ୍କୀ ଶିବିରକୁ ଟାର୍ଗେଟ୍ କରାଯାଇଥିଲା । ପାକ୍ ବାୟୁସେନା ଘାଟି ଉପରେ ବି ପ୍ରଚଣ୍ଡ ଆକ୍ରମଣ ହୋଇଥିଲା । ଭାରତର ଏହି ଅପରେସନ ବେଳେ ଏଲ୍ଇଟିର ମୁଖ୍ୟ ଆଡ୍ଡା କୁହାଯାଉଥିବା ମୁରିଦକେ ଓ ବହାବଳପୁର ଶିବିର ଧ୍ୱଂସ ହୋଇଯାଇଥିଲା । ଫଳରେ ଏଲ୍ଇଟିକୁ ଶକ୍ତ ଧକ୍କା ଲାଗିଥିଲା ।
ଆହୁରି ପଢ଼ନ୍ତୁ...ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ମାମଲାରେ ଡିଜିସିଏର କାର୍ଯ୍ୟାନୁଷ୍ଠାନ , VSRର ୪ ବିମାନ ଉପରେ ରୋକ୍