ନୂଆଦିଲ୍ଲୀ: ବିବାଦରେ ଛନ୍ଦି ହେଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର। ସଦଗୁରୁଙ୍କ ଦ୍ୱାରା ଆୟୋଜିତ ଶିବରାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଥିବାରୁ ତାଙ୍କୁ କଂଗ୍ରେସ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ସର୍ବ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସଚିବ ପିଭି ମୋହନ ଏନେଇ ଉଦ୍ବେଗ ପ୍ରକାଶ କରିବା ସହ ଦଳର ନିୟମ ଭଙ୍ଗ କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଘୋଷଣା କରିଛନ୍ତି। 

ସୂଚନା ମୁତାବକ, ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ଧର୍ମଗୁରୁ ସଦଗୁରୁ ପ୍ରତିବର୍ଷ ଶିବରାତ୍ରୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥାନ୍ତି। ତେବ ଶିବକୁମାର ଗତ ବୁଧବାର ଦିନ ଏହି ଉତ୍ସବରେ ଯୋଗଦେଇଥିଲେ। ଏହି ଉତ୍ସବରେ ପ୍ରଥମରୁ କେନ୍ଦ୍ରଗୃହମନ୍ତ୍ରୀ  ଅମିତ ଶାହ ମଧ୍ୟ ଉପସ୍ଥିତ ରହିଥିଲେ। ଉଭୟ ନେତା ଏହି କାର୍ଯ୍ୟକ୍ରମର ଯୋଗଦେବା ସହ ଗୋଟିଏ ମଞ୍ଚରେ ମଧ୍ୟ ବସିଥିବା ନଜର ଆସିଥିଲା। 

ଏ ସମ୍ପର୍କରେ ପିଭି ମୋହନ ସାମାଜିକ ଗଣମାଧ୍ୟମରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ପୋଷ୍ଟରେ ସେ “ଏକ ଧର୍ମନିରପେକ୍ଷ ଦଳର ସଭାପତି ଭାବେ କାର୍ଯ୍ୟ କରୁଥିବା” ରାହୁଲ ଗାନ୍ଧୀଙ୍କୁ ପରିହାସ କରିଥିବା ବ୍ୟକ୍ତିଙ୍କୁ ଆପଣ କିପରି ଧନ୍ୟବାଦ ଜ୍ଞାପନ କରିପାରିଲେ ବୋଲି ଉଲ୍ଲେଖ କରିଛନ୍ତି। 



ଶିବକୁମାର ଇଶା ଯୋଗ ସେଣ୍ଟର, କୋଏମ୍ୱଟୋରରେ ମହାଶିବରାତ୍ରୀ ଉତ୍ସବରେ ଯୋଗଦେଇ ଫେରିବା ପରେ ଏନେଇ ଏକ ଧନ୍ୟବାଦ ନୋଟ ଲେଖିଥିଲେ। ଯାହାକୁ ନେଇ ମୋହନ ତାଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।



ବର୍ତ୍ତମାନ ଦେଖିବାକୁ ଗଲେ ଡିକେ ଶିବକୁମାର କର୍ଣ୍ଣାଟକ କଂଗ୍ରେସର ଶକ୍ତି ସଂଘର୍ଷର କେନ୍ଦ୍ରରେ ରହିଛନ୍ତି। ଦଳରେ ତାଙ୍କୁ ନେଇ ଅନେକ ଦିନ ହେବ ଟଣାଓଟରା ଲାଗି ରହିଛି। କିଛିଦିନ ତଳେ ସେ ସମସ୍ତ ବିଜେପି ଲିଙ୍କକୁ କାଟି କଂଗ୍ରେସମ୍ୟାନ ଭାବେ ଜନ୍ମ ହୋଇଛନ୍ତି ବୋଲି ଘୋଷଣା କରିଥିଲେ। କିନ୍ତୁ ହିନ୍ଦୁଙ୍କ ପାଇଁ ତାଙ୍କ ହୃଦୟରେ ଅଲଗା ସ୍ଥାନ ଅଛି ବୋଲି ସେ କହିଥିଲେ। ଯାହାକୁ ନେଇ ସେ ପୁଣି ସମାଲୋଚନାର ଶିକାର ହୋଇଥିଲେ। 

କିଛିଦିନ ତଳେ ସେ ମହାକୁମ୍ଭକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ନିକଟରେ ସେ ଅନେକ ହିନ୍ଦୁ ମନ୍ଦିର ବୁଲିଯାଇଥିବା ଦେଖିବାକୁ ମିଳିଛି।