ଭୁବନେଶ୍ୱର ୨୮/୦୧: ଅପରିପକ୍ୱ ଅବସ୍ଥାରେ ଜନ୍ମ ନେଇଥିବା ୬ମାସ ଶିଶୁର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତର। ୨୬ ସପ୍ତାହର ଏହି ଶିଶୁଟିର ଓଜନ ଜନ୍ମ ସମୟରେ ମାତ୍ର ୮୬୦ ଗ୍ରାମ୍‌ ରହିଥିବା ବେଳେ ଜନ୍ମ ହେବା ସଙ୍ଗେସଙ୍ଗେ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଖୁବ୍‌ କଷ୍ଟ ଅନୁଭବ କରିଥିଲା। ତେଣୁ ତାକୁ ତୁରନ୍ତ ସମ୍‌ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଆଇସିୟୁରେ ଭର୍ତି କରାଯାଇଥିଲା ବୋଲି ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ କହିଛନ୍ତି। ଶିଶୁଟିକୁ ମେକାନିକାଲ୍‌ ଭେନ୍‌ଟିଲେସନ୍‌, ଆଡଭାନ୍ସଡ ଲାଇଫ୍‌ ସପୋର୍ଟ ଏବଂ ହାଇ ଫ୍ରିକ୍ୱେନ୍ସ ଭେନ୍‌ଟିଲେଟରରେ ରଖାଯାଇ ଧୀରେ ଧୀରେ ସୁସ୍ଥ କରାଯିବା ସହ ଚିକିତ୍ସା ଜାରି ରଖାଯାଇଥିଲା ବୋଲି ସେ କହିଛନ୍ତି।ଅପରିପକ୍ୱ ଭାବେ ଜନ୍ମ ନେଇଥିବା ଏହି ଶିଶୁଟିର ଅନେକ ଶାରୀରିକ ସମସ୍ୟା ରହିଥିବା ବେଳେ ଉଭୟ ଫୁସ୍‌ଫୁସ୍‌କୁ ଚେଷ୍ଟ ଡ୍ରେନେଜ୍‌ ଆବଶ୍ୟକ ହୋଇଥିଲା ବୋଲି ପ୍ରଫେସର (ଡାକ୍ତର) ନନ୍ଦ କହିଛନ୍ତି।ଶିଶୁଟିର ବଂଚିବାର ଆଶା ଖୁବ୍‌ କ୍ଷୀଣ ଥିଲେ ମଧ୍ୟ ଚିକିତ୍ସା,ଯତ୍ନ ଏବଂ ହସ୍ପିଟାଲ୍‌ ଟିମ୍‌ର ସହଯୋଗ ଯୋଗୁଁ ତା’ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ଶିଶୁଟିକୁ ଏନ୍‌ଆଇସିୟୁରେ ପ୍ରାୟ ସାଢ଼େ ୪ ମାସ ରଖାଯିବା ପରେ ଡିସ୍‌ଚାର୍ଜ କରାଯାଇଥିଲା ବୋଲି ସେ କହିଛନ୍ତି। ଶିଶୁଟି ସୁସ୍ଥ ହେବା ନେଇ ପ୍ରଫେସର ନନ୍ଦ ଖୁସି ବ୍ୟକ୍ତ କରିବା ସହ ମେଡିକାଲ ଟିମ୍‌ ଏବଂ ଶିଶୁଟିର ପିତାମାତାଙ୍କୁ ସେମାନଙ୍କ ଧୈର୍ଯ୍ୟ ଓ ସହଯୋଗ ପାଇଁ ପ୍ରଶଂସା କରିଛନ୍ତି। ଏହି ମେଡିକାଲ୍‌ ଟିମ୍‌ରେ ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ଭାବଗ୍ରାହୀ ମଲ୍ଲିକ୍‌, ଡାକ୍ତର ବିନୀତ ପାଣିଗ୍ରାହୀ,ଡାକ୍ତର ଦେବୀ ପ୍ରସାଦ ସାହୁ, ଡାକ୍ତର ସୁରେଶ କୁମାର ତ୍ରିପାଠୀ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର ଶିତିକଣ୍ଠ ନାୟକ, ଡାକ୍ତର କଲ୍ପିତା ସାହୁ ଏବଂ ଡାକ୍ତର ଏସ୍‌. ମନୀଷା ସାମିଲ ଥିଲେ। ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତ ସିଂହାର ମେଡିକାଲ୍‌ ଟିମ୍‌କୁ ନିରବଚ୍ଛିନ ସହଯୋଗ କରିଥିଲେ ବୋଲି ସେ କହିଥିଲେ।