ବାଲୁଗାଁ,୨୦/୦୧: ଚିଲିକାରେ ଡଲ୍‌ଫିନ୍ ଗଣନା ଆରମ୍ଭ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଙ୍ଗା ଏବଂ ସିଡିଏର ମିଳିତ ଆନୁକୂଲ୍ୟରେ ଆଜି ସକାଳ ୬ ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଡଲଫିନ ଗଣନା ନିମିତ୍ତ ସମୁଦାୟ ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ଭାଗ କରାଯାଇ ୧୮ଟି ଟିମ୍ ନିୟୋଜିତ ହୋଇଛି । ତନ୍ମଧ୍ୟରୁ ସାତପଡ଼ାରେ ୮ଟି ଓ ବାଲୁଗାଁରେ ୧୦ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ପ୍ରତି ଟିମ୍ରେ ୫ ରୁ ୬ ଜଣଙ୍କ ସମେତ ଦୁଇ ଜଣ ଡଙ୍ଗା ଚାଳକ ରହିବା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୨ ତାରିଖ ଦିନ ୧୨ଟା ଯାଏପର୍ଯ୍ୟନ୍ତ ଚିଲିକା ରେ ଡଙ୍ଗା ଏବଂ ଭସାପୋଲ ଚଳାଚଳ ବନ୍ଦ ରହିବ।

ଚିଲିକା ଡଲଫିନ୍ ଗଣନା କାର୍ଯ୍ୟରେ ବାଇନାକୁଲାର, ଜିପିଏସ୍, ରେଞ୍ଜ ଫାଇଣ୍ଡର, ନୋଟ ପ୍ୟାଡ, କମ୍ପାସ ଆଦି ବ୍ୟବହାର କରାଯିବ । ଏହି ଗଣନାରେ ୧୪୫ରୁ ଉର୍ଦ୍ଧ୍ୱ ବିଭାଗୀୟ କର୍ମଚାରୀ, ସ୍ୱେଚ୍ଛାସେବୀ, ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି, ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ ଅଣସରକାରୀ ସଂସ୍ଥା କର୍ମଚାରୀମାନେ ସାମିଲ ହୋଇଛନ୍ତି।