ପୁରୀ,୧୨/୦୨: ପୁରୀ ବେଳାଭୂମିରେ ପୁଳା ପୁଳା ସାମୁଦ୍ରିକ ଗେଣ୍ଡା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ସମୁଦ୍ର ଉପକୂଳରେ ଅନେକ ଡଲ୍ଫିନ ପାଣିରେ ଖେଳୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏହା ଏକ ଅଶୁଭ ସଙ୍କେତ ବୋଲି ଅନେକ ଆଶଙ୍କା କରୁଛନ୍ତି । ତେବେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ପରିବେଶବିତ୍ । ଏହା ଏକ ସାଧାରଣ ପ୍ରକ୍ରିୟା ଏବଂ ଏହା ଆମ ପୁରୀ ବେଳାଭୂମିର ବିଶେଷତ୍ୱ ବୋଲି ପରିବେଶବିତ୍ କହିଛନ୍ତି ।
ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ପରିବେଶବିତ୍ ଆକାଶ ରଞ୍ଜନ ରଥ କହିଛନ୍ତି, ପୁରୀ ସମୁଦ୍ର ସାମୁଦ୍ରିକ ଜୀବଙ୍କର ଏକ ମାଇଗ୍ରେସନ ରୁଟ୍ । ଏଣୁ ସମୁଦ୍ରରେ ଡଲଫିନ ଦୃଶ୍ୟମାନ ହେବ, ସାମୁଦ୍ରିକ ଗେଣ୍ଡା ଦିଶିବା ଏକ ସାଧାରଣ କଥା । ପୂର୍ବରୁ ମଧ୍ୟ ଅନେକ ଥର ସମୁଦ୍ରକୂଳରେ ଡଲଫିନ ଦେଖିବାକୁ ମିଳିଛି । ସେହିଭଳି ସାମଦ୍ରିକ ଗେଣ୍ଡା ବ୍ରିଡିଂ ଟାଇମ୍ରେ କୂଳକୁ ଆସିଥାନ୍ତି ବୋଲି ସେ କହିଛନ୍ତି । ଏହାକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପୁରୀ ବେଳାଭୂମିରେ ସାମୁଦ୍ରିକ ଜୀବଙ୍କ ପାଇଁ ପର୍ଯ୍ୟାପ୍ତ ସମ୍ଭାର ରହିଥିବାରୁ ଏହାର ସଂରକ୍ଷଣ ଓ ଗବେଷଣା ପାଇଁ ସରକାର ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି ।