ମୁମ୍ୱାଇ,୨୬/୧୧:  ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲି ସ୍ୱାମୀ ତଥା ଅଷ୍ଟ୍ରେଲୀୟ ବ୍ୟବସାୟୀ ପିଟର ହାଗ୍‌ଙ୍କ ବିରୋଧରେ ମୁମ୍ବାଇର ଏକ କୋର୍ଟରେ ଘରୋଇ ହିଂସା ମାମଲା ରୁଜୁ କରିଛନ୍ତି । ପିଟରଙ୍କ ବିରୋଧରେ ସେ ଭାବନାତ୍ମକ, ଶାରୀରିକ ଓ ଯୌନ ନିର୍ଯାତନା ଭଳି ଗମ୍ଭୀର ଅଭିଯୋଗ କରିଛନ୍ତି । ଏଥିସହିତ ୫୦ କୋଟି ଟଙ୍କା କ୍ଷତିପୂରଣ ଓ ପ୍ରତି ମାସ ୧୦ ଲକ୍ଷ ଟଙ୍କା ଭରଣପୋଷଣ ରାଶି ଦାବି କରିଛନ୍ତି ।

ଗତ ୨୧ ତାରିଖରେ ସେଲିନା ମୁମ୍ବାଇ କୋର୍ଟରେ ଆବେଦନ ଦାଖଲ କରିଥିଲେ । ହେଲେ ଗତ ୨୪ ତାରିଖ ଅର୍ଥାତ୍‌ ସୋମବାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଏସ୍‌ ସି ତାଡ୍‌ୟେ ଆବେଦନର ଶୁଣାଣି କଲେ । ଏହା ପରେ ପିଟରଙ୍କୁ ନୋଟିସ୍‌ ଜାରି କରାଗଲା । ସେଲିନା ନିଜ ଆବେଦନରେ କହିଛନ୍ତି, ୪୮ ବର୍ଷୀୟ ପିଟରଙ୍କର ନିଜ ସନ୍ତାନଙ୍କ ପ୍ରତି କୌଣସି ସହାନୁଭୂତି ନାହିଁ । ଶାରୀରିକ, ମାନସିକ ନିର୍ଯାତନା ଯୋଗୁ ତାଙ୍କୁ ଅଷ୍ଟ୍ରିଆରେ ନିଜ ଘର ଛାଡ଼ି ଭାରତ ଫେରିବାକୁ ପଡ଼ିଲା । ଏଥିସହିତ ତାଙ୍କର ମୁମ୍ବାଇ ସ୍ଥିତ ଘରେ ପିଟରଙ୍କ ପ୍ରବେଶ ରୋକିବାକୁ ସେ ଆବେଦନ କରିଛନ୍ତି । ଅଷ୍ଟ୍ରିଆରେ ପିଟରଙ୍କ ସହ ରହୁଥିବା ନିଜର ୩ ସନ୍ତାନଙ୍କ ହେପାଜତ ଲାଗି ମଧ୍ୟ ସେଲିନା ଆବେଦନ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ସନ୍ତାନ ଜନ୍ମ ପରେ ପିଟର ବିଭିନ୍ନ ବାହାନା କରି ତାଙ୍କୁ କାମ କରିବାରୁ ଅଟକାଇଲେ । ଏହା ଦ୍ୱାରା ତାଙ୍କର ଆର୍ଥିକ ସ୍ୱାଧୀନତା ଉପରେ ପ୍ରଭାବ ପଡ଼ିଲା ଏବଂ ତାଙ୍କ ସମ୍ମାନ ହାନି ହେଲା । ବେଳେବେଳେ କେବଳ ପିଟରଙ୍କ ଅନୁମତିରେ ହିଁ ସେ ଛୋଟ ଛୋଟ ପ୍ରୋଜେକ୍ଟ କରିପାରୁଥିଲେ ।

ତାଙ୍କ ଆବେଦନ ଅନୁସାରେ, ପିଟର ଚଳିତ ବର୍ଷ ଅଗଷ୍ଟରେ ଅଷ୍ଟ୍ରିଆର ଏକ କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ । ସେଲିନା ଓ ପିଟର ୨୦୧୦ରେ ଅଷ୍ଟ୍ରିଆରେ ବିବାହ କରିଥିଲେ । ଉଭୟଙ୍କର ୩ ସନ୍ତାନ ୱିନ୍‌ଷ୍ଟନ, ଭିରାଜ ଓ ଆର୍ଥର ଅଛନ୍ତି । ୨୦୧୨ରେ ଉଭୟ ଯମଜ ପୁଅଙ୍କର ମାତାପିତା ହୋଇଥିଲେ । ୨୦୧୭ରେ ସେଲିନା ପୁଣି ଯମଜ ପୁତ୍ର ସନ୍ତାନ ଜନ୍ମ ଦେଲେ । କିନ୍ତୁ ଜଣଙ୍କର ହାଇପୋପ୍ଲାଷ୍ଟିକ୍‌ ହାର୍ଟ ଯୋଗୁ ମୃତ୍ୟୁ ହୋଇଥିଲା । ସେଲିନା ‘ନୋ ଏଣ୍ଟ୍ରି’, ‘ଅପ୍‌ନା ସପ୍‌ନା ମନି ମନି’, ‘ମନି ହୈ ତୋ ହନି ହୈ’,‘ଗୋଲ୍‌ମାଲ ରିଟର୍ନସ’ଓ ‘ଥ୍ୟାଙ୍କ୍‌ ୟୁ’ ଭଳି ଫିଲ୍ମରେ କାମ କରିଛନ୍ତି । ୨୦୦୧ରେ ସେ ଫେମିନା ମିସ୍‌ ଇଣ୍ଡିଆ ଟାଇଟଲ ଜିତିଥିଲେ ।