ବଳଙ୍ଗା,୨୬/୦୮: ବଳଙ୍ଗା ଥାନା ଗଡ଼ଚାନ୍ଦପୁର ଗ୍ରାମର ଜଣେ ଯୁବକ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଇ  ଦ୍ୱିତୀୟ ବିବାହ କରିଛନ୍ତି । ଆଇନର ଆଶ୍ରୟ ନେଲେ  ଅଶ୍ଳୀଳ ଫଟୋ ଭାଇରାଲ୍‌ କରିବାକୁ ଧମକ ଦେଇଛି ।  ଅଭିଯୋଗ ପରେ ପୁଲିସ୍‌ ଏକ ମାମଲା ରୁଜୁ କରି  ତଦନ୍ତ ଜାରି ରଖିଛି । 

ସୂଚନା ମୁତାବକ, ୮ ମାସ ତଳେ  ଗଡ଼ଚାନ୍ଦପୁର ଗ୍ରାମର ଜ୍ୟୋତିରଞ୍ଜନ ଜେନାଙ୍କୁ କୋଣାର୍କ ଅଞ୍ଚଳର ଜଣେ ଯୁବତୀ ପ୍ରେମ ବିବାହ କରିଥିଲେ ।  କିଛିଦିନ ଭଲରେ ଚଳିବା ପରେ ଜ୍ୟୋତିଙ୍କ ପରିବାର ଲୋକେ ୫ଲକ୍ଷ ଟଙ୍କା ଆଣିବା ପାଇଁ ଯୁବତୀଙ୍କୁ କହିଥିଲେ ।  ସେ ମନା କରିବାରୁ ଶାଶୂଘର ଲୋକେ ନିର୍ଯାତନା ଦେବା  ସହ ଏକ ଘରେ ବନ୍ଦ କରି ରଖିଥିଲେ । ସୁଯୋଗ ଦେଖି ଯୁବତୀ ଜଣଙ୍କ ଖସିଯାଇ କୋଣାର୍କରେ ରହୁଛନ୍ତି ।  ବର୍ତ୍ତମାନ ଜ୍ୟୋତି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିବା ନେଇ ଖବର ପାଇଥିଲେ ପ୍ରଥମ ପତ୍ନୀ । ଏନେଇ ସେ ଜ୍ୟୋତିଙ୍କୁ ପଚାରିବା ସହିତ ଆଇନର ଆଶ୍ରୟ ନେବାକୁ  କହିଥିଲେ । ଏହାପରେ ଜ୍ୟୋତି ଉତ୍‌କ୍ଷିପ୍ତ ହୋଇ  ଯାଇଥିଲେ । ଏମିତି କଲେ ମୋବାଇଲ୍‌ରେ ରଖିଥିବା  ଅଶ୍ଳୀଳ ଫଟୋ ଭାଇରାଲ୍‌ କରିଦେବାକୁ ଧମକ ଦେଇଥିବା  ଯୁବତୀ ଅଭିଯୋଗରେ ଦର୍ଶାଇଛନ୍ତି ।