ନୂଆଦିଲ୍ଲୀ,୧୦/୦୭: ଦିଲ୍ଲୀ-ଏନସିଆର, ହରିୟାଣା, ଉତ୍ତର ପ୍ରଦେଶ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଝଟକା। ସକାଳ ୯ଟା ୪ ମିନିଟ୍ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ଼ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝଜର ବୋଲି ଜଣାପଡ଼ିଛି। ତେବେ ଭୂମିକମ୍ପ ପରେ କିଛି ସମୟ ପାଇଁ ମେଟ୍ରୋ ଚଳାଚଳ ବନ୍ଦ ହୋଇଯାଇଥିଲା। ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ।
ପୂର୍ବରୁ ମେ' ୧୨ ତାରିଖରେ ୟୁପି ଏବଂ ବିହାରର ଅନେକ ସହରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଚଳିତ ବର୍ଷ ଫେବୃଆରୀ ୧୭ ତାରିଖରେ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ସକାଳ ପ୍ରାୟ ୫ଟା ୪୫ ମିନିରେ ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳ ଦିଲ୍ଲୀର ଧୌଲା କୁଆଁ ନିକଟରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ପ୍ରାୟ ପାଞ୍ଚ କିଲୋମିଟର ତଳେ ଥିବା ଅନୁମାନ କରାଯାଇଛି। ଦିଲ୍ଲୀ ଦେଶର ସେହି କିଛି ଅଞ୍ଚଳ ମଧ୍ୟରୁ ଗୋଟିଏ ଯେଉଁଠାରେ ଭୂମିକମ୍ପର ବିପଦ ବହୁତ ଅଧିକ। ଭୂମିକମ୍ପର ତୀବ୍ରତାକୁ ଆଧାର କରି ଭାରତରେ ଚାରୋଟି ଭୂକମ୍ପୀୟ କ୍ଷେତ୍ର ଅଛି। ଯେହେତୁ ଦିଲ୍ଲୀ ନୈନିତାଲ, ପିଲିଭିତ, ଉତ୍ତରାଖଣ୍ଡର ରୁରକି, ବିହାରର ପାଟନା, ଉତ୍ତର ପ୍ରଦେଶର ବୁଲନ୍ଦସହର, ଗୋରଖପୁର, ସିକିମର ଗ୍ୟାଙ୍ଗଟକ୍, ପଞ୍ଜାବର ଅମୃତସର ପରି ଭୂକମ୍ପୀୟ କ୍ଷେତ୍ର IV ରେ ପଡ଼ିଥାଏ, ତେଣୁ ଏଠାରେ ବିପଦ ଅଧିକ ରହିଥାଏ।