ଭୁବନେଶ୍ୱର,୨୫/୦୬ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୂର୍ବତଟ ରେଲୱେ ଦେଲା ସ୍ୱତନ୍ତ୍ର ଭେଟି । ତୀର୍ଥଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ‘ଇକୋର୍‌ ଯାତ୍ରା (ଇସିଓଆର୍‌ ଯାତ୍ରା)’ ନାମକ ଏକ ସ୍ୱତନ୍ତ୍ର ମୋବାଇଲ୍‌ ଆପ୍‌ । ଏହି ଆପ୍‌ ଯାତ୍ରୀମାନଙ୍କୁ ରଥଯାତ୍ରା ସମୟରେ ରେଳ ସମ୍ପର୍କିତ ସମସ୍ତ ସେବା ଓ ସୁବିଧା ପାଇଁ ଏକ ବ୍ୟାପକ ଡିଜିଟାଲ୍‌ ମାର୍ଗଦର୍ଶିକା ପ୍ରଦାନ କରିବ । ରଥଯାତ୍ରା ସମୟରେ ରେଳଯାତ୍ରୀଙ୍କୁ ଏକ ବାସ୍ତବ ସମୟ ସୂଚନା ପ୍ରଦାନ ପାଇଁ ଏହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍‌ କରାଯାଇଛି । ଏହା ଯାତ୍ରୀମାନଙ୍କ ପାଇଁ ଏକ ଡିଜିଟାଲ୍‌ ରଥଯାତ୍ରା ସାଥୀ । 

ଯାତ୍ରୀମାନେ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଏହି ଆପ୍‌ଟି ଡାଉନଲୋଡ୍‌ କରି ବ୍ୟବହାର କରିପାରିବେ । ରଥଯାତ୍ରା-୨୦୨୫ ପାଇଁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକର ନମ୍ବର, ସମୟ ଏବଂ ରହଣି ସ୍ଥାନ ସମେତ ଏକ ସମ୍ପୂର୍ଣ୍ଣ ତାଲିକା ଏହି ଆପ୍‌ରେ ଉପଲବ୍ଧ ରହିଛି । ଏହାବ୍ୟତୀତ ଆପ୍‌ରେ ଉପଲବ୍ଧ ପାନୀୟ ଜଳ, ଇ-କ୍ୟାଟରିଂ, ଚିକିତ୍ସା ସହାୟତା ବୁଥ୍‌, ସାର୍ବଜନୀନ ଶୌଚାଳୟ, ଦିବ୍ୟାଙ୍ଗଙ୍କ ପାଇଁ ହ୍ୱିଲଚେୟାର, ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀ-ଚାଳିତ ଯାନ ଆଦି ସେବା ସମ୍ପର୍କରେ ମଧ୍ୟ ସୂଚନା ମିଳିବ । ସୂଚନାଥାଉ କି, ରଥଯାତ୍ରାକୁ ପୁରୀ ଯାଉଥିବା ସମସ୍ତ ଯାତ୍ରୀ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ଏବଂ ଅନାବଶ୍ୟକ ବିଳମ୍ବକୁ ଏଡ଼ାଇବା ପାଇଁ ଇକୋର୍‌-ଯାତ୍ରା ଆପ୍‌ ଡାଉନଲାଡ୍‌ କରିବାକୁ ପରାମର୍ଶ ଦେଇଛି ପୂର୍ବତଟ ରେଲୱେ ।