ଭୁବନେଶ୍ୱର, ୨୦/୦୭: ରାଜ୍ୟରେ ଅଣ୍ଡା ଦର ବଢ଼ିଚାଲିଛି । ମାସେ ଭିତରେ ଅଢ଼େଇ ଟଙ୍କା ଦର ବଢ଼ିଲାଣି । ବଜାରରେ ଅଣ୍ଡା ଗୋଟା ୯ଟଙ୍କା । ସେପଟେ ଅଙ୍ଗନବାଡିରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଅଣ୍ଡା ଟେନସନ୍ ବଢ଼ିଲାଣି । ସରକାର ଏବେ ଗୋଟିଏ ଅଣ୍ଡା ପାଇଁ ୭ଟଙ୍କା ଦେଉଛନ୍ତି । ହେଲେ ଅଧିକ ୨ଟଙ୍କା କେଉଁଠୁ ଆସିବ, ତାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ତେଣୁ ସରକାରଙ୍କୁ ସିଧାସଳଖ ଚିଠି ଲେଖି ଏ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି । ହୋଲସେଲ ବଜାର ଓ ଖାଉଟି ବଜାରରେ ଏବେ ଆକାଶପାତାଳ ତଫାତ୍ ।

ହୋଲସେଲ ବଜାରରେ ଅଣ୍ଡା ଦର ଏବେ ସାଢ଼େ ୭ଟଙ୍କା । ହେଲେ ବଜାରରେ ଦେଢ଼ଟଙ୍କା ଅଧିକ ଦରରେ ବିକ୍ରି ହେଉଛି । ରବିବାର ଅଣ୍ଡା କାର୍ଟୁନ ପିଛା ୧୬୦୦ ଟଙ୍କା ହୋଇଛି । ବେପାରୀଙ୍କ କହିବା କଥା, ଉତ୍ପାଦନ ନଥିବାରୁ ଆହୁରି ବି ବଢ଼ିବ । ଅଣ୍ଡା ଦର ବଢ଼ୁଥିବା ବେଳେ ଅଣ୍ଡା ପ୍ରସ୍ତୁତ ଖାଦ୍ୟ ଦର ମଧ୍ୟ ଧୀରେଧୀରେ ବଢ଼ିଲାଣି । ଏଭଳି ସ୍ଥିତିରେ ଦର କେବେ ଖସିବ ତାକୁ ଅପେକ୍ଷା କରିଛନ୍ତି ଅଣ୍ଡାପ୍ରେମୀ ।

ଅଧିକ ପଢ଼ନ୍ତୁ :-  Egg Price Hike: ଅଦା, ରସୁଣ ପରେ ଅଣ୍ଡା ମହଙ୍ଗା, ହଠାତ୍ ବଢ଼ିଲା ୨ ଟଙ୍କା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଲେ କାରଣ..

ରାଜ୍ୟରେ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟିସାଧନ ପାଇଁ ରାଜ୍ୟ ସରକାର ପୋଷଣ ଯୁକ୍ତ ଖାଦ୍ୟରେ ଅଣ୍ଡା ଯୋଗାଇ ଦେଉଛନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ଅଣ୍ଡା ବଣ୍ଟନ ହେଉଛି । ୧୧ ରୁ ୧୪ ବର୍ଷ ବୟସର ସମସ୍ତ କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ଯୋଗାଇ ଦେବା ପାଇଁ ମାସକୁ ୧୬ଟି, ଅତିଶୟ ପୁଷ୍ଟିହୀନ ଶିଶୁ (୬ ମାସରୁ ୩ ବର୍ଷ), ଗର୍ଭବତୀ ଓ ପ୍ରସୂତି ମହିଳା । ୬ ମାସରୁ ୩ ବର୍ଷ ଯାଏ ସାଧାରଣ ଶିଶୁଙ୍କୁ ମାସକୁ ୧୨ଟି ଲେଖାଏଁ ଅଣ୍ଡା ଦିଆଯାଏ । ରନ୍ଧନ ଖାଦ୍ୟରେ ମଧ୍ୟ ସପ୍ତାହକୁ ୫ଟି ଲେଖାଏଁ ଅଣ୍ଡା ଦିଆଯାଉଛି । ଗୋଟିଏ ଅଣ୍ଡା କିଣିବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ପୂର୍ବରୁ ୫ ଟଙ୍କା ପ୍ରଦାନ କରାଯାଉଥିଲା । ୨୦୧୮ ମସିହାର ଦରଦାମକୁ ଲକ୍ଷ୍ୟ କରି ସରକାର ଏହି ଦର ଧାର୍ଯ୍ୟ କରିଥିଲେ । ହେରେ ଦାବି ପରେ ଗତବର୍ଷ ଏହା ୭ଟଙ୍କାକୁ ବଢ଼ିଥିଲା । ଏବେ ସେତିକି ବି ଯଥେଷ୍ଟ ହେଉନି । ସବୁଠି ପାଇକାରୀ ଦରରେ ଅଣ୍ଡା କିଣିବା ସମ୍ଭବ ନୁହେଁ । ଅଧିକାଂଶ ଜିଲ୍ଲାରେ ଅଙ୍ଗନବାଡିକର୍ମୀମାନେ ଆର୍ଥିକସ୍ତରରେ ସ୍ୱଚ୍ଛଳ ନଥିବାରୁ ନିଜ ହାତରୁ ଖର୍ଚ୍ଚ କରିପାରୁନାହାନ୍ତି । ସେଭଳି ସ୍ଥିତିରେ ସେଠାରେ ଅଣ୍ଡା ବଣ୍ଟନ ଠପ୍ ହୋଇଯିବ ।

ଅଣ୍ଡା ଚାଷୀମାନଙ୍କ କହିବା କଥା, ଅଣ୍ଡାର ଦର ନିର୍ଦ୍ଧାରଣ ଜାତୀୟ ଅଣ୍ଡା ସଂଯୋଜନା କମିଟି (ଏନ୍ଏସିସି) ଧାର୍ଯ୍ୟ କରେ ଦର । ହେଲେ ସେ ନିୟମକୁ କେହି ମାନୁନାହାନ୍ତି । ଓଲଟା ଫାର୍ମର କ୍ଷତି ହେଉଛି । ଏ ଦିଗରେ ସରକାର କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ୍‌ର ସଭାପତି ସୁମିତା ମହାପାତ୍ର କହିଛନ୍ତି, ଆମ ହାତରୁ ଅତିରିକ୍ତ ଅଢ଼େଇ ଟଙ୍କା ଖର୍ଚ୍ଚ ହେଉଛି । ତଥାପି ଆମେ ଏଦିଗରେ ତତ୍ପର ଅଛୁ । ସରକାର ତୁରନ୍ତ ଏସମସ୍ୟାର ସମାଧାନ କରନ୍ତୁ ।

ଅଣ୍ଡା ସମସ୍ୟା ଉପରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଅଣ୍ଡା ଦର ବିଭିନ୍ନ କାରଣ ନେଇ ବଢିଛି । ୭ ଟଙ୍କା ୧୫ ପଇସାରେ ଅଣ୍ଡା ଉତ୍ପାଦନକାରୀମାନେ ବିକୁଛନ୍ତି । ଖୁଚୁରା ବ୍ୟବସାୟୀମାନେ ୯ ଟଙ୍କାରେ ବିକ୍ରି କରୁଛନ୍ତି । ବିଶ୍ୱ ସ୍ତରୀୟ ଅଣ୍ଡାର ଚାହିଦା ବୃଦ୍ଧି ପାଉଛି, ଅଣ୍ଡା ରପ୍ତାନି ବଢିଛି ଓ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ମୋର୍ଟଲିଟି ରେଟ୍ ମଧ୍ୟ ବଢିଛି । ଏହାହିଁ ଅଣ୍ଡା ଦର ବୃଦ୍ଧିର ମୁଖ୍ୟ କାରଣ । ଏବେ ରାଜ୍ୟରେ ଦୈନିକ ୧ କୋଟି ୨୬ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ସେହି ଅନୁପାତରେ ବାର୍ଷିକ ୪୬୦ କୋଟି ଅଣ୍ଡା ଉତ୍ପାଦନ ହେଉଛି । ରାଜ୍ୟରେ ବାର୍ଷିକ ୮୦୦ ରୁ ୯୦୦ କୋଟି ଅଣ୍ଡା ର ଆବଶ୍ୟକତା ରହିଛି । ସେଥିପାଇଁ ଆମେ ଦିନକୁ ୨କୋଟି ଅଣ୍ଡା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛୁ ।