ନୂଆଦିଲ୍ଲୀ – ସିକ୍କିମର ନାମଚି ଜିଲ୍ଲାରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ ଏକ ସୁଡଙ୍ଗ ବାହାରେ ଭୂସ୍ଖଳନ ଘଟି ପ୍ରାୟ ୨୭ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି। ସୁଡଙ୍ଗ ଭିତରେ ମିଥେନ ଗ୍ୟାସ୍ ଥିବାର ସମ୍ଭାବନା ଯୋଗୁଁ, ପରିସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଛି। ଏହି କାରଣରୁ ଉଦ୍ଧାର କାର୍ଯ୍ୟ ମନ୍ଥର ପଡ଼ି ଯାଇଛି। ଗ୍ୟାସ୍ ପ୍ରଭାବରେ ଅନେକ ଉଦ୍ଧାର କର୍ମୀ ଅସୁସ୍ଥ ମଧ୍ୟ ହୋଇଛନ୍ତି।
ଏହି ଦୁର୍ଘଟଣା ସମରଦୁଙ୍ଗ ସୁଡ଼ଙ୍ଗରେ ହୋଇଛି। ଭୂସ୍ଖଳନ ପରେ, ସୁଡ଼ଙ୍ଗର ପ୍ରବେଶ ପଥ ଭଗ୍ନାବଶେଷ ଦ୍ୱାରା ବନ୍ଦ ହୋଇ ଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଟନେଲ (ସୁଡଙ୍ଗ)ଭିତରେ ୨୭ ଜଣ ଶ୍ରମିକ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ଜଣ କର୍ମଚାରୀ ପଟେଲ ଇଞ୍ଜିନିୟରିଂର, ଆଉ ୬ ଜଣ ଏନଏଚପିସିର ବୋଲି କୁହାଯାଉଛି। ପ୍ରଶାସନ କହିଛି ଯେ, ଫସି ରହିଥିବା ଶ୍ରମିକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଯାଞ୍ଚ କରାଯାଉଛି ଏବଂ ଏହି ସଂଖ୍ୟା ପରିବର୍ତ୍ତନ ମଧ୍ୟ ହୋଇପାରେ।
ରେସ୍କ୍ୟୁ ଟିମ୍ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି ସୁଡ଼ଙ୍ଗ ଭିତରେ ଥିବା ମିଥେନ ଗ୍ୟାସ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ , ଅଧିକାରୀମାନେ କହିଛନ୍ତି ଯେ, ଏହି ଗ୍ୟାସ କାରଣରୁ ଅନେକ ଉଦ୍ଧାରକାରୀଙ୍କ ମୁଣ୍ଡ ବୁଲାଇଛି, ଆଉ କିଛି ଲୋକେ ବେହୋସ ମଧ୍ୟ ହୋଇ ଯାଇଥିଲେ। କୁହାଯାଉଛି ଭୂସ୍ଖଳନ ପରେ ମାଟି ଓ ପଥରର ପରସ୍ତ ଖସିବାରୁ ଏହି ଗ୍ୟାସ ନିର୍ଗତ ହୋଇଛି। ଏହା ବ୍ୟତୀତ, ସୁଡ଼ଙ୍ଗର ସଂକୀର୍ଣ୍ଣ ରାସ୍ତା ଏବଂ କମ୍ ଦୃଶ୍ୟମାନତା ମଧ୍ୟ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଏହି କାରଣରୁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ସତର୍କତାର ସହିତ କରାଯାଉଛି।
ଜିଲ୍ଲା ପ୍ରଶାସନକୁ ଅପରାହ୍ନ ସମୟ ପ୍ରାୟ ୩ଟା ୪୦ରେ ଘଟଣାର ସୂଚନା ମିଳିଥିଲା। ଏହାପରେ ଏନଡିଆରଏଫ୍, ଏସଡିଆରଏଫ୍ , ଜିଲ୍ଲା ପୁଲିସ ଓ ଫାୟର ସର୍ଭିସର ଟିମ୍ ତୁରନ୍ତ ଘଟଣା ସ୍ଥଳକୁ ପଠାଯାଇ ଥିଲା। ପଶ୍ଚିମବଙ୍ଗରୁ ମଧ୍ୟ ଏହ ସ୍ୱତନ୍ତ୍ର ରେସ୍କ୍ୟୁ ଟିମକୁ ଡକାଯାଇଛି। ଏହି ଟିମ୍ ଗ୍ୟାସରୁ ସୁରକ୍ଷା ପାଇଁ ବିଶେଷ ସୁରକ୍ଷା ଉପକରଣ ସହ ପହଞ୍ଚିଛନ୍ତି।