ବରଗଡ଼,୩୦/୧୦: ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବୁକୁରମୁଣ୍ଡାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବ ଚାଷୀଙ୍କ ଜୀବନ। ମୃତ ଚାଷୀ ଜଣକ ହେଲେ ରବି ସାହୁ( ୩୭ )l ବିଦ୍ୟୁତ୍ କମ୍ପାନି ବିରୋଧରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଗାଇସିଲଟ ବ୍ଲକ ବୁକୁରମୁଣ୍ଡାର ରବି ସାହୁ ଜମିରେ କୀଟନାଶକ ପକାଉଯାଥିଲେ। ହେଲେ ସେ ଜାଣିନଥିଲେ ତାଙ୍କ ଜମି ଏକ ବିଦ୍ୟୁତ ତାର ଛିଣ୍ଡି ପଡିଛି। ସେ କୀଟନାଶକ ଛିଞ୍ଚ କରୁଥିବା ବେଳେ ତଳେ ପଡିଥିବା ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସଂଜ୍ଞା ହୀନ ହୋଇଯାଇଥିଲେ। ଯାହାକୁ ଦେଖି ପାଖ ଚାଷୀମାନେ ବିଜୁଳି ବିଭାଗ ଓ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ବୁକରାମୁଣ୍ଡା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରିବା ପରେ ପଦ୍ମପୁର ହସ୍ପିଟାଲକୁ ରେଫର କରିଥିଲେ। ହେଲେ ପଦ୍ମପୁର ହସ୍ପିଟାଲରେ ରବିଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ବିଦ୍ୟୁତ୍ କମ୍ପାନିର ଅବହେଳା ଯୋଗୁଁ ଚାଷୀଙ୍କ ଜୀବନ ଯାଇଥିବା ସ୍ଥାନୀୟ ଚାଷୀ ଓ ପରିବାର ଲୋକ ଏବଂ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହା ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ରବି ସାହୁଙ୍କ ଦୁଇଟି ପୁଅ ,ମା- ବାପା ଓ ସ୍ତ୍ରୀଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ବାପା ବିକଳାଙ୍ଗ ଥିବାରୁ ପରିବାର ପୋଷଣା ଏବେ ଚିନ୍ତାଜନକ ହୋଇଯାଇଛି। ସ୍ଥାନୀୟଲୋକ କ୍ଷତିପୂରଣ ଦାବି କରିଛନ୍ତି।