ରାଉରକେଲା,୦୮/୦୧: ଦନ୍ତା ଆତଙ୍କରେ ଥରହର ହେଉଛି ଓଡ଼ିଶା-ଝାଡ଼ଖଣ୍ଡ ସୀମା । ରାତିକରେ ହାତୀ ନେଇଛି ୬ ଜୀବନ । ମୃତକ ହେଲେ ସନାତନ ମେରାଲ (୫୨), ପତ୍ନୀ ଜୋଲେକା (୫୦), ଝିଅ ଦମୟନ୍ତୀ (୮), ପୁଅ ମୁଗତ (୫) । ଅନ୍ୟ ଦୁଇଜଣ ହେଲେ ଗୁରୁଚରଣ ଲାଗୁରୀ (୪୮), ମଙ୍ଗଲ ବୋବାଙ୍ଗ (୨୨) । ଦନ୍ତା ଆକ୍ରମଣରେ ଅନ୍ୟ ୬ଜଣ ଲହୁଲୁହାଣ ହୋଇଛନ୍ତି । ସପ୍ତାହକ ମଧ୍ୟରେ ଉକ୍ତ ଗୋଠଛଡ଼ା ଦନ୍ତା ଆକ୍ରମଣରେ ୧୫ଜଣଙ୍କ ମୃତ୍ୟୁ ଘଟିଲାଣି । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ବବାଡ଼ିଆ ଗ୍ରାମର ମୁଣ୍ଡାସାହିଟୋଲାରେ ରୁହନ୍ତି ସନାତନଙ୍କ ପରିବାର । ମଙ୍ଗଳବାର ରାତିରେ ପରିବାର ସଦସ୍ୟ ଘର ଅଗଣାରେ ଶୋଇଥିବାବେଳେ ଦନ୍ତା ପଶି ଆକ୍ରମଣ କରିଥିଲା । ସନାତନ, ଜୋଲେକା, ଦମୟନ୍ତୀ ଏବଂ ମୁଗତ ଜୀବନ ବଞ୍ଚାଇବାକୁ ସୁଯୋଗ ପାଇ ନ ଥିଲେ । ପୁଅ ଜୟପାଲ (୧୨) ଓ ସୁଶୀଲା (୭) ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି । ଜୀବନ ବଞ୍ଚାଇ ଦୌଡ଼ି ପଳାଉଥିବା ବେଳେ ପଡ଼ି ଯାଇ ସୁଶୀଲା ଆହତ ହୋଇଛନ୍ତି ।
ଏହାପରେ ହାତୀ ଉଲିସାହିଟୋଲରେ ପଶିଥିଲା । ଘରେ ଶୋଇଥିବା ଗୁରୁଚରଣଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ହାତୀ ଆକ୍ରମଣରେ ଅଞ୍ଚଳର ଗୋମିଆ ଲାଗୁରୀ (୧୧) ଓ ହିନ୍ଦୁ ଲାଗୁରୀ (୮) ଗୁରୁତର ହୋଇଛନ୍ତି । ମୁଣ୍ଡାସାହିଟୋଲା ଏବଂ ଉଲିସାହିଟୋଲାରେ ଉପଦ୍ରବ ସୃଷ୍ଟି କରିବା ପରେ ବଡ଼ାପାସିଆ ଗ୍ରାମର ଡୁଡୁଡବାସାଟୋଲାରେ ପଶିଥିଲା ଦନ୍ତା । ମଙ୍ଗଲ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ଜଗନ୍ନାଥପୁର ରେଞ୍ଜର କାଲାଇସାହିରେ ହାତୀ ପହଞ୍ଚିଥିଲା । ସେଠାରେ ଦୁଇଟି ଘର ଭାଙ୍ଗି ଦେଇଥିଲା । ଗ୍ରାମବାସୀ ନିଆଁହୁଳା ଦେଖାଇବା ସହ ପାଟି କରିବାରୁ ଦନ୍ତା ସିଆଲଯୋଡ଼ା ଗାଁକୁ ଯାଇ ଟିପରିଆ ହେମ୍ବ୍ରମ (୪୫) ଓ ସମ୍ପର୍କୀୟ ଖୁରପା ହେମ୍ବ୍ରମ (୯) ଙ୍କୁ ଆକ୍ରମଣ କରିଥିଲା । ସେମାନେ ଗୁରୁତର ହୋଇଛନ୍ତି । ଊଭୟଙ୍କୁ ଚିକିତ୍ସା ଲାଗି ନୂଆମୁଣ୍ଡା ସ୍ଥିତ ଟିସ୍କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ବନ ବିଭାଗ ଏବଂ ପଶ୍ଚିମବଙ୍ଗରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ଦନ୍ତାକୁ ଟ୍ରାଙ୍କୁଲାଇଜ କରିବାରେ ଫେଲ୍ ମାରିଛି । ହାତୀ ଦିନ ତମାମ ଘଞ୍ଚ ଜଙ୍ଗଲରେ ଲୁଚି ରହୁଛି । ରାତି ୧୦ଟା ପରେ ଜଙ୍ଗଲରୁ ବାହାରି ବିଭିନ୍ନ ଗାଁରେ ପଶି ଉତ୍ପାତ କରୁଛି । ଏହାକୁ ନେଇ ସୀମାବର୍ତ୍ତୀ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।