ତିଗିରିଆ, ୨୫/୧୦ : କଟକ ଜିଲ୍ଲା ଆଠଗଡ଼ ବନାଞ୍ଚଳ ତିଗିରିଆ ବ୍ଲକ ପୁରୁଣା ତିଗିରିଆ ପଞ୍ଚାୟତରେ ହାତୀ ଉପଦ୍ରବ। ବ୍ୟାପକ ଧାନ ଫସଲ ନଷ୍ଟ। ଏକ ଗୋଠ ଛଡ଼ା ମାଈ ହାତୀ ସ୍ଥାନୀୟ ଅଞ୍ଚଳରେ ପଶି ଧାନ ଫସଲ ନଷ୍ଟ କରିଦେଇଛି। ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି। 

ଶୁକ୍ରବାର ବିଳମ୍ବିତ ରାତିରେ ଗୋଟିଏ ଗୋଠଛଡା ମାଈ ହାତୀ ଆଠଗଡ଼ କଦଳୀ ବାଡ଼ି ପଟୁ ଆସି ଆଉ ଫେରି ପାରିନଥିଲା। ଶଙ୍କରେଶ୍ଵର ମନ୍ଦିର ପଛପଟ ଗହୀର ମଧ୍ୟରେ ରହି ଯାଇଥିଲା। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ସହ ବାଣ ଫୁଟାଇ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହାତୀଟି ଅଧିକ ଭୟଭୀତ ହୋଇ ଏଣେତେଣେ ଦୌଡ଼ି ବ୍ୟାପକ ଧାନ ଫସଲ ନଷ୍ଟ କରିଥିଲା। ଏସମ୍ପର୍କରେ ଖବର ପାଇ ତିଗିରିଆ ବନପାଳ ପ୍ରଶାନ୍ତ ପରିଡା ଓ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି।