କେନ୍ଦୁଝର ସଦର,୧/୧୨(ଆପ୍ର) : କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପଳାଶପଙ୍ଗା ବିଟରେ ୨୮ ଟିକିଆ ହାତୀ ପଲ ମଙ୍ଗଳାପଶି ଅରଡେଇ ନଦୀ କଡ ଓ ମୁରୁସୁଆଁ ଶାଳ ଜଙ୍ଗଲରେ ଦିନ ତମାମ ରହିଛନ୍ତି ।
ଗତ ଶୁକ୍ରବାର ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗ୍ରାମପଞ୍ଚାୟତ କେରି ଜଙ୍ଗଲରୁ ହାତୀ ପଲ ୪୯ ନଂ ଜାତୀୟ ରାଜପଥ ପାର ହୋଇଥିଲେ। ପରେ ଜଡିପଦା କଣାପଶି ଗ୍ରାମ ମଝିରେ ହାତୀ ପଲ ପଶି ସେଣ୍ଡକାପ ,ଗୋବର୍ଦ୍ଧନ, ବଣୁଆ ଗ୍ରାମ ଦେଇ ଜାତୀୟ ରାଜପଥ ୨୦ ବାଙ୍କମାରୁଣି ପଲ କଡରେ ରତନପୁର ହୁଡ଼ିରେ ରହିଥିଲେ । ସେଠାରେ ଶନିବାର ଦିନ ତମାମ ରହିବା ପରେ ସଂଧ୍ୟାରେ ରତନପୁର ହୁଡିରୁ ବାହାରି ନୂଆଗାଁ ଗ୍ରାମପଞ୍ଚାୟତ ବିସ୍ତାପାଳ ଗ୍ରାମ କଡରେ ଥିବା ହୁଡିରେ ରବିବାର ରହିଥିଲେ । ଲୋକ ମାନେ ହାତୀଙ୍କୁ ଘଉଡ଼ାଇବାରୁ ମୁରୁସୁଆଁ ଅରଡେଇ ନଦୀ କୂଳ ଶାଳ ଜଙ୍ଗଲ ଓ ମଙ୍ଗଳାପଶି ହରଡ ବାଡ଼ିରେ ଦିନ ତମାମ ୨୮ଟିକିଆ ହାତୀ ପଲ ରହିଥିବା ଜଣା ପଡ଼ିଛି ।
ହାତୀଙ୍କ ଯାତାୟାତ ପଥରେ ହଜାର ହଜାର ଲୋକ ଛିଡ଼ା ହୋଇ ଦେଖିବା ଦ୍ଵାରା ହାତୀ ଦିନ ତମାମ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଛି । ଫରେଷ୍ଟରଙ୍କ ସମେତ କିଛି ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବା ପାଇଁ ଲୋକ ମାନଙ୍କ ସହାୟତା ନେଉଥିବା ଦେଖିବାକୁ ମିଳିଛି । ଅମଳ ପାଇଁ ବିଲରେ ଥିବା ଏକର ଏକର ପାଚିଲା ଧାନ ଫସଲ ହାତୀ ପଲ ପାଦରେ ଦଳି ମକଚି ନଷ୍ଟ କରିଦେବା ସହ ଧାନ ଖାଇ ଭୋକିଲା ପେଟକୁ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଛି।
ବନ ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଏକରରେ ସ୍ଥାନରେ ମେଗା ନର୍ସରୀ କରି ଚାରା ଉତ୍ପାଦନ କେନ୍ଦ୍ର କରାଯାଉଥିବାବେଳେ ଆଜି ପର୍ଯ୍ୟନ୍ତ ଜଙ୍ଗଲ ସୃଷ୍ଟି କରାଯାଇ ପାରୁ ନାହିଁ ବୋଲି ସମାଜସେବୀ ପ୍ରେମା ସିଂ କହିଛନ୍ତି । ଆଗାମୀ ଦିନରେ ହାତୀ ଖାଉଥିବା ବିଭିନ୍ନ ପ୍ରକାର ଗଛ,ଡାଳ ଓ ଗଛର ଛେଲି ନିମନ୍ତେ ଆବଶ୍ୟକ ବୃକ୍ଷ ରୋପଣ କରିବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ସଭାପତି ରଞ୍ଜନ କୁମାର ବେହେରା କହିଛନ୍ତି। ହାତୀପଲଙ୍କୁ ସୁରକ୍ଷା ଦେବା ସହିତ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ହାତୀ ରହୁଥିବା ସ୍ଥାନରେ ଡାକ ବାଜି ଯନ୍ତ୍ର ଦ୍ୱାରା ସଚେତନ କରିବା ସହ ହାତୀ ପଲଙ୍କ ଦ୍ଵାରା ଗରୀବ ଚାଷୀଙ୍କ ନଷ୍ଟ ହୋଇଥିବା ଧାନ ଓ ଅନ୍ୟାନ୍ୟ ଫସଲର କ୍ଷୟକ୍ଷତି ଆକଳନ କରି ତୁରଂତ କ୍ଷତି ପୂରଣ ଦେବାକୁ ସମାଜସେବୀ ସରୋଜ ସାହୁ କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟି ଦେବାକୁ ମାନସ ମାଝୀ,ମମତା ସିଂ,ଜୟକୃଷ୍ଣ ନାଏକ,ହାଡ଼ିବନ୍ଧୁ ନାଏକ,ସୁଜନ ଦେହୁରୀ,ପୂର୍ଣ୍ଣ ଚନ୍ଦ୍ର ମହାନ୍ତ,ଯୁଧିଷ୍ଟିର ମହାନ୍ତ,ଆଶୀର୍ବାଦ ନାଏକ ପ୍ରମୁଖ ନିବେଦନ କରିଛନ୍ତି ।