ନୂଆଦିଲ୍ଲୀ ୧୨/୦୬: ଭାରତରେ ବିଳମ୍ବିତ ରାତି ଯାଏ କାମ କରିବା, ଛୁଟିରେ ଲାପ୍‌ଟପ୍ ଖୋଲି ବସିବା ଏବଂ ଅସୁସ୍ଥ ହେଲେ ମଧ୍ୟ ଅଫିସ୍ କାମ ଜାରି ରଖିବା ପରିଶ୍ରମୀ କର୍ମଚାରୀଙ୍କ ପରିଚୟ କୁହାଯାଏ । କିନ୍ତୁ ଜଣେ ଭାରତୀୟ କର୍ମଚାରୀ ନରୱେ ପହଞ୍ଚି ଜାଣିପାରିଲେ ଯେ ବିଶ୍ୱର କିଛି ଦେଶରେ ଏହି ବିଚାରକୁ ସମ୍ପୂର୍ଣ୍ଣ ଭିନ୍ନ ଦୃଷ୍ଟିରେ ଦେଖାଯାଏ । ତାଙ୍କ ଅନୁଭବ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କର ଏକ ପୋଷ୍ଟ କର୍ମ-ଜୀବନ ସନ୍ତୁଳନକୁ ନେଇ ନୂଆ ବିତର୍କ ତେଜିଛି ।

ବିନୋଦ ନାମକ କର୍ମଚାରୀ କହିଛନ୍ତି, ପ୍ରାୟ ୧୫ ବର୍ଷ ପୂର୍ବେ ସେ ଯେତେବେଳେ ନରୱେରେ ପହଞ୍ଚିଲେ, ଭାରତରେ ଶିଖିଥିବା କାର୍ଯ୍ୟଶୈଳୀକୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ । ସପ୍ତାହାନ୍ତରେ ବି ସେ କାମ କରୁଥିଲେ, ମଧ୍ୟାହ୍ନ ଭୋଜନ ବାତିଲ କରିଦେଉଥିଲେ ଏବଂ ଆବଶ୍ୟକ ହେଲେ ଛୁଟି ବାତିଲ କରି ଅଫିସ୍ କାମ ଶେଷ କରୁଥିଲେ । ଦିନେ ତାଙ୍କୁ ମ୍ୟାନେଜର ନିଜ କ୍ୟାବିନ୍କୁ ଡାକିଲେ । ବିନୋଦ ଭାବିଲେ, ପରିଶ୍ରମ ପାଇଁ ସେ ପ୍ରଶଂସିତ ହେବେ । କିନ୍ତୁ ଓଲଟା ହେଲା । ମ୍ୟାନେଜର ତାଙ୍କୁ ପଚାରିଲେ, ସେ ଶନିବାର ଇମେଲ୍‌ର ଉତ୍ତର କାହିଁକି ଦେଲେ ଏବଂ ପ୍ରୋଜେକ୍ଟ ପୂରା କରିବାକୁ ନିଜ ଛୁଟି କାହିଁକି ବାତିଲ କଲେ । ମ୍ୟାନେଜର ତାଙ୍କୁ ସ୍ପଷ୍ଟ କହିଲେ, ଛୁଟି ନେବା କୌଣସି ବିକଳ୍ପ ନୁହେଁ ବରଂ ଆବଶ୍ୟକତା । ଯଦି ବରିଷ୍ଠ କର୍ମଚାରୀ ଛୁଟିରେ କାମ କରିବେ, କନିଷ୍ଠ କର୍ମଚାରୀଙ୍କ ଉପରେ ମଧ୍ୟ ଚାପ ପଡ଼ିବ । ବିନୋଦଙ୍କ ପାଇଁ ଏହି ଅନୁଭବ କୌଣସି ଝଟ୍‌କାଠୁ କମ୍ ନଥିଲା ।

 

ସେ କହିଛନ୍ତି, ଭାରତରେ ସର୍ବଦା ଅତିରିକ୍ତ କାମକୁ ସମର୍ପଣ ମନେକରାଯାଏ । କିନ୍ତୁ ନରୱେରେ କର୍ମଚାରୀଙ୍କ ବ୍ୟକ୍ତିଗତ ଜୀବନ, ପରିବାର ଓ ମାନସିକ ସ୍ୱାସ୍ଥ୍ୟକୁ ସେତିକି ଗୁରୁତ୍ୱ ଦିଆଯାଏ, ଯେତିକି କାମକୁ । ଏହି କାରଣରୁ ନରୱେକୁ ବିଶ୍ୱର ସର୍ବୋତ୍କୃଷ୍ଟ କର୍ମ-ଜୀବନ ସନ୍ତୁଳନବିଶିଷ୍ଟ ଦେଶ ଭାବେ ଗଣାଯାଏ । ଏଠାରେ ସାଧାରଣତଃ ଲୋକେ ସପ୍ତାହରେ ୩୭.୫ ଘଣ୍ଟା କାମ କରନ୍ତି ଏବଂ ସନ୍ଧ୍ୟା ହେବା ମାତ୍ରେ ଅଫିସ୍ ଛାଡ଼ି ପରିବାର କିମ୍ବା ନିଜ ପସନ୍ଦର କାମରେ ସମୟ ବିତାନ୍ତି । ଏଠାରେ ଅତିରିକ୍ତ କର୍ମ ସମୟ ଖୁବ୍ ସୀମିତ ଏବଂ ଏହାର ଅତିରିକ୍ତ ଶୁଳ୍କ ମଧ୍ୟ ଦିଆଯାଏ । କର୍ମଚାରୀଙ୍କୁ ପ୍ରତି ବର୍ଷ ହାରାହାରି ୫ ସପ୍ତାହର ଦେୟଯୁକ୍ତ ଛୁଟି ମିଳେ । ମାତାପିତାଙ୍କ ପାଇଁ ଲମ୍ବା ଛୁଟିର ସୁବିଧା ବି ଅଛି । ଏଠାରେ ବସ୍ ଓ କର୍ମଚାରୀଙ୍କ ମଧ୍ୟରେ ଅଧିକ ଔପଚାରିକ ଦୂରତା ନାହିଁ ଏବଂ ଟିମ୍ୱର୍କକୁ ବ୍ୟକ୍ତିଗତ ଉପଲବ୍ଧିଠୁ ଅଧିକ ମହତ୍ୱ ଦିଆଯାଏ । କାମ ପରେ ଇମେଲ୍ କିମ୍ବା ଫୋନ୍ କଲ୍‌ର ଉତ୍ତର ଦେବା ଜରୁରି ନୁହେଁ । କାମ ଶେଷ କରିବା ନେଇ କର୍ମଚାରୀଙ୍କ ଉପରେ ପୂର୍ଣ୍ଣ ଭରସା ଥାଏ ।

ଆହୁରି ପଢ଼ନ୍ତୁ...କ’ଣ ଆପଣ ବି ଫ୍ରିଜ୍‌ରେ ରଖୁଛନ୍ତି ଚକଟା ଅଟା? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ନିରାପଦ