ଭୁବନେଶ୍ୱର ୧୨/୦୬: ପ୍ରାୟ ଲୋକଙ୍କ ଫ୍ରିଜ୍ରେ ଚକଟା ଅଟା ନିଶ୍ଚୟ ରହିଥାଏ । ଏହା ସାଧାରଣ ଅଭ୍ୟାସ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସତର୍କ ଘଣ୍ଟି ସାବ୍ୟସ୍ତ ହୋଇପାରେ । ଫ୍ରିଜ୍ରେ ଚକଟା ଅଟା ରଖିଲେ ମଧ୍ୟ କିଛି ଜୀବାଣୁ(ବ୍ୟାକ୍ଟେରିଆ) ଓ ଫଙ୍ଗସ୍ର ବୃଦ୍ଧି ପୁରାପୁରି ବନ୍ଦ ହୁଏ ନାହିଁ । ଦୀର୍ଘ ସମୟ ରଖିଲେ ଅଟା ଖରାପ ହେବାର ବିପଦ ବଢେ । ଅଟାରେ ଥିବା ପ୍ରାକୃତିକ ଅଣୁଜୀବ ଓ ଏନଜାଇମ୍ଗୁଡିକ ଧୀରେ ଧୀରେ ଫର୍ମେଣ୍ଟେସନ୍(କିଣ୍ୱନ)ପ୍ରକ୍ରିୟା ଆରମ୍ଭ କରି ଅଟାକୁ ଖଟା ଗନ୍ଧ ଦେଇପାରନ୍ତି । ଏହାଦ୍ୱାରା ରୁଟିର ସ୍ୱାଦ ଓ ଗୁଣ ଖରାପ ହୁଏ । ଦୀର୍ଘ ସମୟ ଭିଜା ଅବସ୍ଥାରେ ରହିବାରୁ କେତେକ ଭିଟାମିନ୍ ଓ ପୋଷକ ଉପାଦାନ ହ୍ରାସ ପାଇଥାଏ । ୧୨-୨୪ ଘଣ୍ଟା ପରେ ଚକଟା ଅଟା କଳା ବା ଧୂସର ରଙ୍ଗ ହେବା ସହ ଅଧିକ ଚିପଚିପା ଲାଗିପାରେ । ଚକଟା ଅଟାକୁ ଅଧିକ ସମୟ ରଖିବା ପରେ ସେଥିରୁ ଖଟା କିମ୍ବା ତିକ୍ତ ଗନ୍ଧ ଆସିପାରେ, ଯାହା ଖାଦ୍ୟର ଗୁଣକୁ ପ୍ରଭାବିତ କରେ ।
ସାଧାରଣ ଫ୍ରିଜ୍ରେ(୪ ଡିଗ୍ରୀ ସେଣ୍ଟିଗ୍ରେଡ୍ କିମ୍ବା ତାହାଠାରୁ କମ୍) ୧୨ରୁ ୨୪ ଘଣ୍ଟା ଯାଏ ଅଟାକୁ ଭଲ ଭାବେ ଢାଙ୍କି ରଖାଯାଇପାରେ । ଦୀର୍ଘ ସମୟ ପାଇଁ ରଖିବାକୁ ହେଲେ ଛୋଟ ଛୋଟ ଭାଗ କରି ଫ୍ରିଜ୍ରେ ପଲିଥିନ୍ରେ ନିବୁଜ କରି ରଖିବା ଭଲ । ଯଦି ଅଟାରୁ ଖଟା ଗନ୍ଧ ଆସେ କିମ୍ବା ରଙ୍ଗ ବଦଳିଯାଏ, ତେବେ ଏହାକୁ ବ୍ୟବହାର କରିବା ପରିବର୍ତ୍ତେ ଫିଙ୍ଗି ଦେବା ଭଲ ।
ନିୟନ୍ତ୍ରିତ କିଣ୍ୱନରେ ନିର୍ଦ୍ଧିଷ୍ଟ ଅଣୁଜୀବ(ଇଷ୍ଟ କିମ୍ବା ଜୀବାଣୁ) ବ୍ୟବହାର କରାଯାଏ ଏବଂ ତାପମାତ୍ରା, ସମୟ, ଆର୍ଦ୍ରତା ଆଦିକୁ ନିୟନ୍ତ୍ରଣ କରି ବ୍ରେଡ୍, ଦହି, ଚିଜ୍ ଓ ମଦ ଆଦି ପ୍ରସ୍ତୁତ କରାଯାଏ, ଯାହା ସ୍ୱାଦ ଓ ଗୁଣରେ ଏକରୂପତା ଆଣି ଖାଦ୍ୟକୁ ଅଧିକ ସୁରକ୍ଷିତ କରେ ଓ ଉତ୍ତମ ଗୁଣବତ୍ତା ପ୍ରଦାନ କରେ । ଅନିୟନ୍ତ୍ରିତ କିଣ୍ୱନ ପରିବେଶରେ ସ୍ୱାଭାବିକ ଭାବେ ଥିବା ଅଣୁଜୀବ ନିଜେ ବୃଦ୍ଧି ପାଆନ୍ତି ଏବଂ ପ୍ରକ୍ରିୟାଟି ନିୟନ୍ତ୍ରଣରେ ରହେନାହିଁ । କିଛି ଉଦାହରଣ ହେଲା ଚକଟା ଅଟାକୁ ବହୁତ ସମୟ ଫ୍ରିଜ୍ରେ ରଖିବା, ଖାଦ୍ୟକୁ ଦୀର୍ଘ ସମୟ ବାହାରେ ରଖିବା ଅଥବା ଫଳ କିମ୍ବା ପନିପରିବା ଖରାପ ହେବା । ଫଳରେ ଖାଇବା ଜିନିଷରୁ ଖଟା କିମ୍ବା ବାସି ଗନ୍ଧ ବାହାରେ, ସ୍ୱାଦ ବଦଳିଯାଏ । ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବଢିଯାଏ ଏବଂ କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରେ ।
ଆହୁରି ପଢ଼ନ୍ତୁ ...BP Checking Mistaking : ଘରେ ବିପି ଚେକ୍ କରୁଛ କି ? ଏହି ୩ଟି ଭୁଲ୍ ଯୋଗୁଁ ରିଡିଂ ବଢି ଯାଇ ପାରେ , ଡାକ୍ତରଙ୍କ ଠାରୁ ଜାଣନ୍ତୁ ସଠିକ୍ ଉପାୟ