ୱାଶିଂଟନ ଡିସି, ୦୪/୦୨ : ୱେବସାଇଟ୍ ରୁ ହଟିଲା ‘ଏପ୍ଷ୍ଟିନ୍ ଫାଇଲ୍ସ’। ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପୀଡ଼ିତାମାନଙ୍କ ପରିଚୟ ପ୍ରଘଟ ହେବା ପରେ ଆମେରିକାର ନ୍ୟାୟ ବିଭାଗ ଏହାର ୱେବ୍ସାଇଟ୍ରେ ଥିବା ଏପ୍ଷ୍ଟିନ୍ ସେକ୍ସ ଫାଇଲ୍ରୁ ପୀଡ଼ିତାଙ୍କ ରେକର୍ଡକୁ ହଟାଇ ଦେଇଛି। ଓକିଲମାନେ ଏହି ଫାଇଲ୍କୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାକୁ ସେମାନେ ଆମେରିକା ଇତିହାସରେ ପୀଡ଼ିତାଙ୍କ ଗୋପନୀୟତାର ସବୁଠୁ ସାଙ୍ଘାତିକ ଉଲ୍ଲଂଘନ ଦର୍ଶାଇଥିଲେ ।
ଆମେରିକୀୟ ଯୌନ ଅପରାଧୀ ଜେଫ୍ରି ଏପ୍ଷ୍ଟିନ୍ ଦ୍ୱାରା ଉତ୍ପୀଡ଼ନର ଶିକାର ହୋଇଥିବା ପୀଡ଼ିତାଙ୍କ ପକ୍ଷରୁ ଓକିଲମାନେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟ ବିଭାଗ ଦ୍ୱାରା ୱେବ୍ସାଇଟ୍ରେ ଅପ୍ଲୋଡ୍ ହୋଇଥିବା ଫାଇଲ୍ ପାଖାପାଖି ୧୦୦ ପୀଡ଼ିତାଙ୍କ ଜୀବନକୁ ଦୋହଲାଇ ଦେଇଥିବା ସେମାନେ ଅଭିଯୋଗ କରିଥିଲେ । ଏବେ ନ୍ୟାୟ ବିଭାଗ ପକ୍ଷରୁ ଇ-ମେଲ୍ ଆଡ୍ରେସ, ନଗ୍ନ ଫଟୋ, ନାମ ଓ ଚେହେରା ପ୍ରଘଟ ହେବା ଦ୍ୱାରା ଯେଉଁ ପୀଡ଼ିତାଙ୍କ ପରିଚୟ ଲୋକଲୋଚନକୁ ଆସିଥିଲା ସେମାନଙ୍କ ରେକର୍ଡକୁ ୱେବ୍ସାଇଟ୍ରୁ ହଟାଇ ଦିଆଯାଇଛି । ବରିଷ୍ଠ ଓକିଲ ବ୍ରିଟାନୀ ହେଣ୍ଡରସନ ଓ ବ୍ରାଡ ଏଡୱାର୍ଡସ ନ୍ୟୁୟର୍କସ୍ଥିତ ଜଣେ ସଂଘୀୟ ବିଚାରପତିଙ୍କୁ ଏପ୍ଷ୍ଟିନ୍ ଫାଇଲ୍କୁ ୱେବସାଇଟରୁ ହଟାଇବାକୁ ତୁରନ୍ତ ନ୍ୟାୟ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅପିଲ୍ କରିଥିଲେ । ନ୍ୟାୟିକ ହସ୍ତକ୍ଷେପ ଅତ୍ୟନ୍ତ ଜରୁରି ବୋଲି ଦର୍ଶାଇଥିଲେ । ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ହଜାର ହଜାର ଫାଇଲ୍ ହଟାଇ ଦିଆଯାଇଛି।
‘ଏପ୍ଷ୍ଟିନ୍ ଫାଇଲ୍ସ’ର ଗୋଟିଏ ପରେ ଗୋଟିଏ ରହସ୍ୟ ଫିଟୁଛି । ଅନେକ ଦେଶର ହାଇପ୍ରୋଫାଇଲ୍ ବ୍ୟକ୍ତିତ୍ୱଙ୍କ ନାଁ ସାମ୍ନାକୁ ଆସୁଛି । ଟ୍ରମ୍ପ୍, ବିଲ୍ ଗେଟ୍ସଙ୍କଠୁ ୟୁରୋପ, ମଧ୍ୟପ୍ରାଚ୍ୟ ଏପରିକି ଆଫ୍ରିକା ଓ ଏସିଆର ଅନେକ ଦେଶର ପ୍ରମୁଖ ରାଜନେତା, ଉଦ୍ୟୋଗୀ, କଳାକାର, ଏପରିକି ଶିକ୍ଷାବିତ୍ ଓ ବୈଜ୍ଞାନିକଙ୍କ ପାଖରେ ଏହା ପହଞ୍ଚିଛି । ଏହି କ୍ରମରେ ନରୱେର କ୍ରାଉନ୍ ପ୍ରିନ୍ସେସ ମେଟେ-ମାରିଟ୍ ଏବଂ ଆମେରିକାର ଯୌନ ଅପରାଧୀ ଜେଫ୍ରି ଏପ୍ଷ୍ଟିନ୍ ମଧ୍ୟରେ ସମ୍ବନ୍ଧ ଥିବା ନେଇ ଖୁଲାସା ହୋଇଛି। ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଆମେରିକାର ନ୍ୟାୟ ବିଭାଗ ପକ୍ଷରୁ ଜାନୁଆରୀ ୩୦ରେ ଜାରି ହୋଇଥିବା ଏପ୍ଷ୍ଟିନ୍ ଫାଇଲ୍ରେ ରାଜକୁମାରୀ ମେଟେ-ମାରିଟ୍ଙ୍କ ନାମ ୧ ହଜାରରୁ ଅଧିକ ଥର ଆସିଛି ।
ଆହୁରି ପଢନ୍ତୁ- ଏପ୍ଷ୍ଟିନଙ୍କ କୁକର୍ମର ଦ୍ୱୀପ, ରେକର୍ଡରେ ନ ଥିଲା ବଡ଼ବଡ଼ିଆଙ୍କ ଉଡ଼ାଣ
ନରୱେର ସମ୍ବାଦପତ୍ର ଭିଜିର ରିପୋର୍ଟ ଅନୁସାରେ, ଏହି ଫାଇଲ୍ରେ ୨୦୧୧ରୁ ୨୦୧୪ ମଧ୍ୟରେ ଏପ୍ଷ୍ଟିନ୍ ଏବଂ ମେଟେ-ମାରିଟଙ୍କ ମଧ୍ୟରେ ହୋଇଥିବା ଅନେକ ଇ-ମେଲ୍ ସ୍ଥାନ ପାଇଛି । ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସମ୍ପର୍କ ରହିଥିଲା । ଗୋଟିଏ ମେଲ୍ରେ ଏପ୍ଷ୍ଟିନ୍ ଲେଖିଥିଲା ଯେ ସେ ବିବାହ କରିବାକୁ ଚାହେଁ ଏବଂ ପତ୍ନୀ ସନ୍ଧାନରେ ପ୍ୟାରିସ ଆସିଛନ୍ତି । ସମ୍ପର୍କ ଓ ଅବୈଧ ସମ୍ବନ୍ଧ ବନାଇବା ଲାଗି ପ୍ୟାରିସ ବହୁତ ଭଲ । କିନ୍ତୁ ପତ୍ନୀ ଖୋଜିବାକୁ ହେଲେ ସ୍କାଣ୍ଡିନେଭୀୟ (ନରୱେ, ସ୍ୱିଡେନ ଓ ଡେନ୍ମାର୍କ) ମହିଳା ଅଧିକ ଭଲ ଏବଂ ସଚ୍ଚୋଟ । ଜବାବରେ ମେଟେ-ମାରିଟ ଲେଖିଥିଲେ, ଆପଣ ପତ୍ନୀ ସନ୍ଧାନରେ ଥିବା ଜାଣିବା ପରେ ମୋର ବିଶ୍ୱାସ ହେଉନାହିଁ । ମେଟେ-ମାରିଟଙ୍କ ଜନ୍ମ ନରୱେରେ ହୋଇଥିଲା । ତେଣୁ ତାଙ୍କ ଆଡ଼କୁ ଇସାରା କରି ଏପ୍ଷ୍ଟିନ୍ ସ୍କାଣ୍ଡିନେଭୀୟ ମହିଳାଙ୍କୁ ପସନ୍ଦ କରନ୍ତି ବୋଲି ଦର୍ଶାଇଥିଲା । ଆଉ ଏକ ମେଲ୍ରେ ମେଟେ ଲେଖିଥିଲେ, ମୋ ୧୫ ବର୍ଷୀୟ ପୁଅର ୱାଲପେପର ପାଇଁ ଦୁଇ ନଗ୍ନ ଝିଅଙ୍କ ଫଟୋ ଲଗାଇବା ଠିକ୍ ହେବ କି? ଏଥିରେ ସେ ଏପ୍ଷ୍ଟିନ୍କୁ ଆକର୍ଷଣୀୟ ଦର୍ଶାଇଥିଲେ । ତେବେ ଏହି ଘଟଣାର ପର୍ଦ୍ଦାଫାସ ହେବା ପରେ ଏପ୍ଷ୍ଟିନ୍ ସହ ସମ୍ପର୍କ ଥିବାରୁ ମେଟେ-ମାରିଟ କ୍ଷମା ପ୍ରାର୍ଥନା କରିଛନ୍ତି ।