ଅନୁଗୁଳ, ୦୮/୦୮ : ବେଶ ଅସଲି ହେଲେ କାମ ନକଲି। ଅନୁଗୁଳ ସହରରେ ମାତିଛନ୍ତି ନକଲି ପୁଲିସ ଚୋର। ମାଟିଆ ପୋଷାକ ପିନ୍ଧି ଲୋକଙ୍କୁ ଠକିବାକୁ ଆପଣେଇଛନ୍ତି ନୂଆ ଫନ୍ଦା। ଅନୁଗୁଳ ସହରରେ ଏଭଳି ଏକ ଲୁଟ୍ ହୋଇଛି। ପୁଲିସ ପରିଚୟ ଦେଇ ଦୁଇ ଜଣ ଦୁର୍ବୃତ୍ତ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଘଟଣା ବେଳର ଭିଡିଓ ସିସିଟିଭିରେ କଏଦ ହୋଇଛି। ନକଲିଙ୍କୁ ଧରିବାକୁ ଅସଲି ପୁଲିସ ସିସିଟିଭି ଅଣ୍ଡାଳୁଛି।
ସୂଚନାନୁଯାୟୀ, କ୍ଷୀରୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେକରେ ଚେନ ଓ ହାତରେ ମେଞ୍ଚାଏ ସୁନା ମୁଦି ପିନ୍ଧି ଅନୁଗୁଳ ସହର ଆଡୁ ନିଜ ଘର ହୁଲୁରିସିଂହାକୁ ଯାଉଥିଲେ। ଦିବ୍ୟଜ୍ୟୋତି ହଲ ଛକ ନିକଟରେ ହଠାତ୍ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମାଟିଆ ପୋଷାକ ପିନ୍ଧିଥିବା ବେଳେ ନିଜକୁ ପୁଲିସ ପରିଚୟ ଦେଇଥିଲେ। ଆଗରେ ଡକାୟତି ହୋଇଛି ଏଭଳି ସୁନା ଚେନ ଓ ସୁନା ମୁଦି ପିନ୍ଧି ଯାଆନ୍ତୁ ନାହିଁ ବୋଲି କ୍ଷୀରୋଦଙ୍କୁ କହିଥିଲେ। ଏହାପରେ ପକେଟରୁ ଏକ କାଗଜ ବାହାର କରି ସେଥିରେ ମୁଦି ଚେନ ଗୁଡ଼ାଇ ପକେଟରେ ରଖିବାକୁ କହିଥିଲେ। କ୍ଷୀରୋଦ ମଧ୍ୟ ତାଙ୍କ କଥା ମାନି ମୁଦି ଓ ଚେନକୁ କାଗଜରେ ଗୁଡ଼ାଇ ଗାଡି ଡିକିରେ ରଖି ଘରକୁ ଯାଇଥିଲେ। ତେବେ ଘରେ ପହଞ୍ଚି ପକେଟରୁ କାଗଜ ଖୋଲି ଦେଖିବା ବେଳକୁ ସେଥିରେ ୪ଟି ଗୋଡି ଥିଲା। ଏନେଇ ସେ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।