ଜୟପୁର,୦୬/୧୦: ରାଜସ୍ଥାନ ଜୟପୁରର ସବାଇ ମାନସିଂହ ହସ୍ପିଟାଲର ଟ୍ରମା ସେଣ୍ଟର ରବିବାର ରାତିରେ କୌଣସି ନର୍କଠୁ କମ୍ ନଥିଲା । ବିଳମ୍ବିତ ରାତି ୧୧ଟା ୨୦ରେ ଉଠିଥିବା ଧୂଆଁ ଦେଖୁ ଦେଖୁ ମୃତ୍ୟୁର ଖବର ପାଲଟିଗଲା । ଯେଉଁ ମେସିନ୍‌ରେ ଜୀବନ ରକ୍ଷା କରୁଥିଲେ ସେଥିରୁ ବିଷ ବାହାରିଲା । ହସ୍ପିଟାଲରେ ହାହାକାର ସ୍ଥିତି । ଆଖି ପିଛୁଳାକେ ଆଇସିୟୁରେ ନିଆଁ ବ୍ୟାପି ଯାଇଥିଲା । ସବୁ କିଛି ଛାରଖାର ହୋଇଗଲା । ହସ୍ପିଟାଲରେ ଆତଙ୍କ ଖେଳିଗଲା । ଜୀବନ ନେଇ ଫେରିବାକୁ ଅପେକ୍ଷା କରିଥିବା ରୋଗୀ ଜୀବନ ହରାଇଲେ । ଦୁଇ ଦିନ ଭିତରେ ଡିସଚାର୍ଚ ହେବାକୁ ଅପେକ୍ଷା କରିଥିବା ରୋଗୀ ସବୁ ଦିନ ପାଇଁ ଆଖି ବୁଜିଲେ । ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଅଘଟଣକୁ ନେଇ ରୋଗୀଙ୍କ ସମ୍ପକୀୟଙ୍କ ହୃଦୟ କ୍ରୋଧ ଏବଂ କୋହରେ ଭରି ରହିଛି । ୨୦ ମିନିଟ୍ ପୂର୍ବରୁ ଧୂଆଁ ବାହାରିବା ନେଇ କହିଥିଲୁ ହେଲେ କେହି ଶୁଣିଲେ ନାହିଁ ବୋଲି କହିଛନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟ । କର୍ମଚାରୀଙ୍କ ଅବହେଳା ଅଭିଯୋଗ ଆଣି SMS ହସ୍ପିଟାଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପୀଡିତଙ୍କ ପରିବାର । ଧାରଣାରେ ବସିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଦୁନିଆରେ ସମସ୍ତଙ୍କ ଘରେ ଦୀପାବଳି ପାଳିବେ ଦୀପ ଜଳିବ ହେଲେ ଆମ ଘରର ଆଲୋକ ତ ଲିଭିଗଲା । ଆମକୁ ନ୍ୟାୟ ଦରକାର ବୋଲି ଦାବି କରିଛନ୍ତି ।

ଭରତପୁର ବାସିନ୍ଦା  ଶେରୁ ତାଙ୍କ ଆଖି ସାମ୍ନାରେ ମାଆଙ୍କୁ ଜୀବନ ମରଣ ସହ ଲଢୁଥିବା ଦେଖି କହିଛନ୍ତି,''ମୋ ମାଆ ଆଇସିୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଧୂଆଁ ୨୦ ମିନିଟ୍ ପୂର୍ବରୁ ଆରମ୍ଭ ହୋଇଥିଲା । ଆମେ ତୁରନ୍ତ ଷ୍ଟାଫଙ୍କୁ ଜଣାଇଥିଲୁ । ହେଲେ କେହି ଧ୍ୟ୍ୟାନ ଦେଲେ ନାହିଁ । ଧୀରେ ଧୀରେ ପ୍ଲାଷ୍ଟିକ୍ ଟ୍ୟୁବ ମିଳେଇବାରୁ ଲାଗିଲା । ୱାର୍ଡ ବୟ ଦୌଡି ପଳେଇଲା । ମୁଁ ନିଜେ ମାଆଙ୍କୁ ବାହାରକୁ ଆଣିଲି । ଏବେ ମୋ ମାଆଙ୍କ ଦେହ କିପରି ଅଛି ଜଣାଇନାହାନ୍ତି ।''

ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନର ଜୟପୁରର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରାଣହାନି ଅତ୍ୟନ୍ତ ଦୁଃଖଦ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ। "

ତଦନ୍ତ କମିଟି ଘୋଷଣା - ଜୟପୁର ଏସଏମଏସ ହସ୍ପିଟାଲ ଅଗ୍ନିକାଣ୍ଡକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଏକ କମିଟି ଘୋଷଣା କରାଯାଇଛି । ଏହି କମିଟିର ଅଧ୍ୟକ୍ଷତା ଡାକ୍ତରୀ ଶିକ୍ଷା ବିଭାଗର କମିଶନର ଇକବାଲ ଖାନ କରିବେ । କମିଟି ଅଗ୍ନିକାଣ୍ଡର କାରଣ, ଅଗ୍ନିକାଣ୍ଡ ପ୍ରତି ହସ୍ପିଟାଲ ପରିଚାଳନାର ପ୍ରତିକ୍ରିୟା, ଟ୍ରମା ସେଣ୍ଟର ଏବଂ ଏସଏମଏସ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥା, ଅଗ୍ନିକାଣ୍ଡ ଘଟିଲେ ରୋଗୀଙ୍କ ସୁରକ୍ଷା ଏବଂ ସ୍ଥାନାନ୍ତର, ଏବଂ ଭବିଷ୍ୟତରେ ଏପରି ଅଗ୍ନିକାଣ୍ଡରୁ ହସ୍ପିଟାଲକୁ ସୁରକ୍ଷା ଦେବା ଏବଂ ପୁନରାବୃତ୍ତିକୁ ରୋକିବା ପାଇଁ ପଦକ୍ଷେପଗୁଡ଼ିକର ତଦନ୍ତ କରିବ ଏବଂ ଏକ ରିପୋର୍ଟ ଦାଖଲ କରିବ ।