କଟକ,୧୬/୦୮: ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ବିୟୋଗ । କଟକ ଦହିବରା ଆଳୁଦମକୁ ପ୍ରସିଦ୍ଧ କରିଥିବା ଲୋକପ୍ରିୟ ଆଳୁଦମ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୪ ବର୍ଷ ବୟସରେ ପରଲୋକ ହୋଇଛି । କଟକ ବିଡାନାସୀ ଗୋପାଳସାହି ଘରେ ତାଙ୍କର ପରଲୋକ ଘଟିଛି ।
୬ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଦହିବରା ବ୍ୟବସାୟ କରୁଥିଲେ। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଘରେ ଚିକିତ୍ସା ଚାଲିଥିଲା । ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି । ୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଦହିବରା ଆଳୁଦମ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇବାରେ ତାଙ୍କର ବିଶେଷ ଭୂମିକା ରହିଛି । କଞ୍ଚା ଶାଳପତ୍ର ଠୁଙ୍ଗାରେ ପରସା ଯାଉଥିଲା ଦହିବରା । ସ୍ୱତନ୍ତ୍ର ଶୈଳୀର ଦହିବରା ପ୍ରସ୍ତୁତି ପାଇଁ ପ୍ରସିଦ୍ଧ ଥିଲେ ରଘୁ ମଉସା ।