ମାଲକାନଗିରି, ୫/୧ (ଆପ୍ର ) : ଡିସେମ୍ବର ୨୪ ତାରିଖ ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ଧାନ ମଣ୍ଡି। ବିଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ଠାରୁ ଲ୍ୟାମ୍ପସ କର୍ତ୍ତୃପକ୍ଷ ଧାନ କ୍ରୟ ଆରମ୍ଭ କରିଛନ୍ତି । ମିଲରମାନେ ଏଗ୍ରିମେଣ୍ଟରେ ବିଳମ୍ବ କରିବା ଯୋଗୁଁ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରୁ ଏବେ ବି ଉଠିପାରିନାହିଁ ୭୭,୪୨୯ କୁଇଣ୍ଟାଲ ଧାନ । ଚାଷୀମାନେ ଧାନ ମଣ୍ଡିରେ ବିକ୍ରୀ ପାଇଁ ଆଣିଥିବା ଧାନ ଗୁଡିକ ମିଲର ମାନେ ଉଠାଇ ନଥିବାରୁ ଧାନ ଗୁଡିକୁ ଶୀତ କାକରରେ ଜଗି ରହିଛନ୍ତି ଚାଷୀମାନେ ।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୫ଲକ୍ଷ ୫୦ହଜାର ୪୦୦ କୁଇଣ୍ଟାଲ ଧାନ ମଣ୍ଡିରେ ଚାଷୀଙ୍କ ଠାରୁ କ୍ରୟ କରାଯିବା ପାଇଁ ଟାର୍ଗେଟ ଥିବା ବେଳେ ଇତିମଧ୍ୟରେ ୧ଲକ୍ଷ ୫୦ହଜାର ୫୮୫ କୁଇଣ୍ଟାଲ ଧାନ କ୍ରୟ ହୋଇସାରିଛି,। ସେଥିମଧ୍ୟରୁ ମିଲର ମାନେ ୭୩ହଜାର ୧୫୫ କୁଇଣ୍ଟାଲ ମଣ୍ଡିରୁ ଧାନ ଉଠାଇ ସାରିଥିବା ବେଳେ ଜିଲ୍ଲାର ବିଭିନ୍ନ ଧାନମଣ୍ଡି ଗୁଡିକରେ ୭୭ହଜାର ୪୨୯ କୁଇଣ୍ଟାଲ ପଡିରହିଛି। ମିଲରମାନେ ସେମାନଙ୍କର ବିଭିନ୍ନ ଦାବି ନେଇ ଧାରଣା ଦେଇଥିବାରୁ ରୁ ଆଜି କ୍ରୟ ହୋଇ ଥିବା ଧାନ ଗୁଡିକ ମଧ୍ୟ ଉଠା ଯାଇ ପାରି ନାହିଁ।
ଏ ସମ୍ପର୍କ ରେ ଜିଲ୍ଲାଯୋଗାଣ ଅଧିକାରି ଲିଙ୍ଗରାଜ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ସମସ୍ତ ମଣ୍ଡିରୁ ମିଲରମାନେ ଆଜି ଧାନ ଉଠାଇବାର ଥିଲା, ରାଜ୍ୟ ମିଲର ସଂଘ ପକ୍ଷରୁ ଆଜି ସେମାନଙ୍କର ଧାରଣା ହୋଇଥିବାରୁ ମଣ୍ଡିଗୁଡିକରୁ ଧାନ ଉଠା ଯାଇପାରିନାହିଁ। ମଙ୍ଗଳବାର ମିଲର ମାନେ ଵିଭିନ୍ନ ମଣ୍ଡିରୁ ଧାନ ଉଠାଇବେ। ଜିଲ୍ଲା ରେ ୪୭୭୭୦ ଜଣ ଚାଷୀ ଙ୍କ ନାମ ବିଭିନ୍ନ ଲ୍ୟାମ୍ପସରେ ପଞ୍ଜିକରଣ ହୋଇସାରିଛି। ପ୍ରଥମ ପର୍ଯ୍ୟାୟ ରେ ୫ଲକ୍ଷ ୫୦ ହଜାର ୪୦୦ କୁଇଣ୍ଟାଲ ଧାନ କ୍ରୟ କରାଯିବା ପାଇଁ ଟାର୍ଗେଟ ରହିଛି ।
ଜିଲ୍ଲାରେ ୬୮ଟି ମଣ୍ଡି ରେ ଚଷୀଙ୍କ ଠାରୁ ଧାନ କ୍ରୟ ଆରମ୍ଭ ହୋଇଯାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଜିଲ୍ଲାରେ ମଣ୍ଡି ନୋଡାଲ ଅଧିକାରୀ ଏବଂ ମଣ୍ଡି ସୁପରଭାଇଜିଂ ଅଧିକାରୀ ନିୟୋଜିତ ରହି ପ୍ରକ୍ରିୟା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏଥିସହ ସମସ୍ତ ମଣ୍ଡି ଗୁଡିକରେ ଚାଷୀ ମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ସହ ସିସିଟିଭି ଲଗାଯାଇଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।