ଭୁବନେଶ୍ୱର, ୨୧/୦୭ : ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହୁଛନ୍ତି, ରାଜ୍ୟରେ ସାର ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଅଛି । ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା । ରାଜ୍ୟର ବିଭିନ୍ନ ସ୍ଥାନରେ ଉପଯୁକ୍ତ ଭାବେ ୟୁରିଆ ଓ ଡିଏପି ମିଳିପାରୁନି । ସମ୍ବଲପୁର ଜିଲ୍ଲାରେ ଚଳିତ ଖରିଫ ଋତୁରେ ୨୩,୫୦୦ ମେଟ୍ରିକ ଟନ୍ ୟୁରିଆ ଆବଶ୍ୟକ । ଜୁଲାଇ ୨୦ ତାରିଖ ସୁଦ୍ଧା ଜିଲ୍ଲାରେ ୧୮,୯୫୦ ମେଟ୍ରିକ ଟନ୍ ୟୁରିଆ ରହିଥିଲା । ସେଥି ମଧ୍ୟରୁ ୭୨୯୮ ମେଟ୍ରିକ ଟନ୍ ବିକ୍ରି ହୋଇଥିବା ବେଳେ ଏବେ ମାତ୍ର ୧୧୮୮୩ ମେଟ୍ରିକ ଟନ୍ ୟୁରିଆ ଗଚ୍ଛିତ ଅଛି। ଏହା ହେଲା ଜିଲ୍ଲା କୃଷି ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା । ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ଠିକ ଭାବେ ୟୁରିଆ ମିଳିପାରୁନି । ଚଳିତ ଖରିଫ୍ ଋତୁରେ ରାଜ୍ୟରେ ପ୍ରାୟ ୫.୫୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଓ ୧.୪୫ ଲକ୍ଷ ମେଟ୍ରିକ୍ ଟନ୍ ଡିଏପି ସାର ଆବଶ୍ୟକ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଆବଶ୍ୟକତାଠାରୁ ବହୁତ କମ୍ ଅର୍ଥାତ୍ ପ୍ରାୟ ୨.୨୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଓ ୬୩,୦୦୦ ମେଟ୍ରିକ୍ ଟନ୍ ଡିଏପି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ), ଲାମ୍ପସ ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଖରେ ପହଞ୍ଚିଛି । ଚାଷ କାମ ଜୋର ଧରିଥିବା ବେଳେ ସାର ଯୋଗାଇ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ଚାଷୀଙ୍କୁ ୟୁରିଆ ଓ ଡିଏପି ବଦଳରେ ଆମୋନିୟମ୍ ସଲଫେଟ୍ ଓ କମ୍ପେ୍ଲକ୍ସ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି । କୃଷି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସମବାୟ ସମିତିର ରେଜିଷ୍ଟ୍ରାର, ସମବାୟ ପ୍ରବନ୍ଧକ ଓ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମଧ୍ୟପ୍ରାଚ୍ୟରେ ଚଳିତ ବର୍ଷ ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ ଏହାର ୬୦% ବିକଳ୍ପ ଭାବେ କମ୍ପେ୍ଲକ୍ସ ସାର ବ୍ୟବହାର ପାଇଁ କୁହାଯାଇଛି । ସେହିପରି ୟୁରିଆ ବଦଳରେ ୨୦.୫% ଯବକ୍ଷାରଜାନ ଓ ୨୩% ଗନ୍ଧକ ଯୁକ୍ତ ଆମୋନିୟମ୍ ସଲଫେଟ୍ ପ୍ରଚୁର ପରିମାଣରେ ଯୋଗାଇବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ଜିଲ୍ଲା ସ୍ତରରେ କୃଷି ଅଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ପରିମାଣର ଆମୋନିୟମ୍ ସଲଫେଟ୍ ଓ କମ୍ପେ୍ଲକ୍ସ ସାର ବିକ୍ରି ପାଇଁ ଚାଷୀଙ୍କୁ ବୁଝାଇବାକୁ କୁହାଯାଇଛି ।
ଅନ୍ୟପଟେ ୟୁରିଆ ବଦଳରେ ଆମୋନିୟମ୍ ସଲଫେଟ୍ ବ୍ୟବହାର କରିବାକୁ ଅନିଚ୍ଛୁକ ଚାଷୀ । କାରଣ ୧୦୦ କିଲୋ ୟୁରିଆରେ ୪୬ କିଲୋ ନାଇଟ୍ରୋଜେନ ମିଳେ। ସେହି ୧୦୦ କିଲୋ ଆମୋନିୟମ୍ ସଲଫେଟ୍ରେ ମାତ୍ର ୨୦ କେିଲା ନାଇଟ୍ରୋଜେନ ମିଳିବ । ଯାହା ଦ୍ୱାରା ଚାଷୀର ଉତ୍ପାଦନ ପ୍ରଭାବିତ ହେବ । ଯେତିକି ୟୁରିଆ ବିଭିନ୍ନ ସରକାରୀ ସଂସ୍ଥାକୁ ଯାଉଛି, ସେଥିପାଇଁ ଲମ୍ୱା ଧାଡ଼ି ଲାଗୁଛି । ୟୁରିଆର ଉପଲବ୍ଧତା ବର୍ତ୍ତମାନ ସମୟରେ କମ ଥିବାରୁ ସରକାରଙ୍କ ପକ୍ଷରେ ଯୋଗାଇବା ସମ୍ଭବ ହେଉନି । ଯେତିକି ଯୋଗାଣ ତାକୁ ନେବା ପାଇଁ ଚାଷୀମାନଙ୍କୁ ରାତି ରାତି ଅପେକ୍ଷା କରିବାକୁ ପଡ଼ୁଛି । ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କଳାବଜାରୀଙ୍କୁ ସତର୍କ କରାଇବା ସହ ରାଜ୍ୟରେ ସାରର ଅଭାବ ନାହିଁ ବୋଲି କହିଛନ୍ତି । ଜୁଲାଇରେ ୧ ଲକ୍ଷ ୮୧ ହଜାର ମେଟ୍ରିକ ଟନ୍ ସାର ବିଭାଗ ପାଖରେ ପହଞ୍ଚିଥିଲା । ଏଥିରୁ ୧ ଲକ୍ଷ ୧୪ ହଜାର ମେଟ୍ରିକ ଟନ୍ ସାର ବିଭିନ୍ନ ପାକ୍ସକୁ ପଠାଇ ଦିଆଯାଇଛି । କଳାବଜାରୀ ଯିଏ କରିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଏଥର ସାର ଯଥା ସମୟରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି।
ଆମୋନିୟମ ସଲଫେଟ୍ ୟୁରିଆ ସମକକ୍ଷ ନୁହେଁ
ଅପରପକ୍ଷେ ବିଶେଷଜ୍ଞଙ୍କ ମତ ଚାଷୀଙ୍କୁ ଚିନ୍ତାରେ ପକାଇଛି। ପ୍ରଫେସର ସତ୍ୟରଞ୍ଜନ ଦାସ କହିଛନ୍ତି, ଆମୋନିୟମ ସଲଫେଟ୍ ଧାନଚାଷରେ ବ୍ୟବହାର ହୋଇପାରିବ । ହେଲେ ୟୁରିଆ ଭଳି ଶକ୍ତି ଯୋଗାଇପାରିବନି । ଏଥିରେ ଥିବା ସଲଫର ଧାନ ପାଇଁ ଠିକ୍ ମଧ୍ୟ ନୁହେଁ । ଏଥିରେ ଫସଫରସ ନାହିଁ, ଯାହା ଗୋଟିଏ ବଡ଼ ସମସ୍ୟା । ଆମୋନିୟମ ସଲଫେଟ୍ ତୈଳବୀଜ ପାଇଁ ଠିକ୍ । ଯଦି ଆମୋନିୟମ ସଲଫେଟ୍ ଧାନ ଚାଷରେ ବ୍ୟବହାର କରିବେ, ତେବେ ଡାଇଆମୋନିୟମ ଫସଫେଟ୍କୁ କିଣନ୍ତୁ । ଏଥିରେ ଉଭୟ ନାଇଟ୍ରୋଜେନ୍, ଫସଫରସ ରହିଛି । ଏହାକୁ ଧାନ ରୋଇଲା ବେଳେ ପକାଯାଏ । ଦରକାର ପଡ଼ିଲେ ପଟାସ ବି ପକାଇବେ । ସେହିପରି ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚର ସୋଆ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଛନ୍ତି, ସାଧାରଣତଃ ଡିଏପିରେ ନାଇଟ୍ରୋଜେନ୍, ଫସ୍ଫରସ୍ ରହିଥାଏ । ୟୁରିଆରେ ୪୬ ପ୍ରତିଶତ ନାଇଟ୍ରୋଜେନ୍ ରହେ । ହେଲେ ଆମୋନିୟମ ସଲଫେଟ୍ରେ ମାତ୍ର ୨୦ ପ୍ରତିଶତ ନାଇଟ୍ରୋଜେନ୍ ଥାଏ । ଯାହା ଧାନ ଚାଷ ପାଇଁ ଯଥେଷ୍ଟ ନୁହେଁ । କାରଣ ୟୁରିଆ ସହ ସମକକ୍ଷ ହେବା ପାଇଁ ଆମୋନିୟମ ସଲଫେଟ୍ରେ ୨୬ ପ୍ରତିଶତ ନାଇଟ୍ରୋଜେନ୍ କମ୍ ପଡ଼ିଲାଣି । ତେଣୁ ଧାନ ଫସଲର ଆବଶ୍ୟକତା ଅନୁସାରେ ନାଇଟ୍ରୋଜେନ ସହ ଫସଫରସ ଜାତୀୟ ସାର ଅନୁମୋଦିତ ପରିମାଣର ପ୍ରୟୋଗ କରିବେ । ଆମୋନିୟମ ସଲଫେଟ୍ ବିଶେଷକରି ଆଳୁ, ମୂଳା, ପିଆଜ ଭଳି ଖାଦ୍ୟ ପାଇଁ ପ୍ରୟୋଗ କରାଯାଏ ।
ଆହୁରି ପଢନ୍ତୁ- CM grievance : ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ବୁଧବାର ଦିନ ୧୧ଟାରେ ଅନଲାଇନ ପଞ୍ଜୀକରଣ