ଭୁବନେଶ୍ୱର,୧୨/୦୨: ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ରେ ଘରୋଇ ଭାରତ ପରାଜୟରୁ ସିଜନ ଆରମ୍ଭ କରିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବେଲଜିୟମ ଠାରୁ ଦଳ ୩-୧ ଗୋଲରେ ପରାଜିତ ହୋଇଛି। ଆଜି ଆର୍ଜେଣ୍ଟିନାକୁ ଭେଟିବ ଭାରତ।

ଭାରତ-ବେଲଜିୟମ: ପ୍ରଥମ ଦିବସରେ ବେଲଜିୟମ ୫-୩ ଗୋଲରେ ଆର୍ଜେଣ୍ଟିନାକୁ ପରାଜିତ କରିଥିଲା । ପୁଣି ଘରୋଇ ଦଳକୁ ହରାଇଛି । ସିଜନରେ ୬ଟି ମ୍ୟାଚରୁ ୫ଟି ବିଜୟ ସହ ବେଲଜିୟମ ୧୬ ପଏଣ୍ଟ ପାଇ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । ପ୍ରଥମ କ୍ୱାର୍ଟର ଖେଳ ଗୋଲ ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ପ୍ରଥମେ ୨୩ ମିନିଟରେ ଗୋଲ ଖାତା ଖୋଲିଥିଲା । ୨୯ ମିନିଟରେ ଭାରତକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର ।

ଘରୋଇ ତାରକା ଶିଳାନନ୍ଦ ଲାକ୍ରା ଏହାକୁ ଗୋଲ ରୂପ ଦେଇ ମ୍ୟାଚକୁ ୧-୧ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଖେଳ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା । ଅନ୍ତିମ କ୍ୱାର୍ଟରରେ ବେଲଜିୟମ ଆଉ ୨ଟି ଗୋଲ୍ ଦେଇ ମ୍ୟାଚକୁ ୩-୧ରେ ଜିତି ନେଇଥିଲା । ୫୩ ଓ ୫୭ ମିନିଟରେ ଏହି ଦୁଇ ଗୋଲ ହୋଇଥିଲା । ଶେଷ ପର୍ଯ୍ୟନ୍ତ ବହୁ ପ୍ରୟାସ କରି ଭାରତ ପ୍ରତ୍ୟାବର୍ତ୍ତନ କରିପାରି ନଥିଲା।