ନୟାଗଡ଼ ୧୧/୦୭: ଖାକିରେ କଳଙ୍କ। ଚୋରାପୀରତି କରି ହରଡ଼ଘଣାରେ ପୁଲିସ ଏଏସ୍ଆଇ। ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ପଶିଥିବା ବେଳେ ଧରିଲେ ପରିବାର ଓ ସ୍ଥାନୀୟଲୋକ। ପରେ ସଂପୃକ୍ତ ପୁଲିସ ବାବଙ୍କୁ ଉତ୍ତମମଧ୍ୟମ ଦେଇଥିବା ଜଣାପଡିଛି। ଏଭଳି ଚକିତ କରିଦେଲା ଭଳି ଘଟଣା ରଣପୁର ଥାନା ଅଞ୍ଚଳରେ ଘଟିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ନୟାଗଡ଼ ପୁଲିସ ପିଛା ଛାଡୁନି ଚୋରାପୀରତି ବିବାଦ। ଖଣ୍ଡପଡା ଏସଡିପିଓ ଶରଣକୂଳ ଥାନା ଅଧିକାରୀଙ୍କ ପରେ ଏବେ ରଣପୁର ଥାନାର ଏଏସ୍ଆଇ ପ୍ରଶାନ୍ତ ପରିଡା ବିବାଦକୁ ଆସିଛନ୍ତି ।ଗତକାଲି ବିଳମ୍ବିତ ରାତିରେ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ସାନକୂଆ ସାହିର ଜଣେ ମହିଳାଙ୍କ ଘରେ ଏଏସ୍ଆଇ ବାବୁ ପଶିଥିଲେ । ପରିବାର ଲୋକେ ପ୍ରଶାନ୍ତଙ୍କୁ ଧରି ଉତ୍ତମ ମଧ୍ୟମ ଦେଇଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ :-  Corruption case : ଚକମା ଦେଇ ଚମ୍ପଟ ମାରିଲେ ଲାଞ୍ଚୁଆ ପୁଲିସ ବାବୁ, ଭିଜିଲାନ୍ସ ଜଳକା

ସମ୍ପୃକ୍ତ ମହିଳାଙ୍କ ଘରେ ପୂର୍ବରୁ ପ୍ରଶାନ୍ତ ଭଡ଼ାରେ ରହୁଥିଲେ। ଏବେ କିଛିଦିନ ତଳେ ଘର ଛାଡି ଅନ୍ୟତ୍ର ରହୁଥିଲେ । ସେଠାରେ ରହୁଥିବା ସମୟରେ ପରିବାରର ଜଣେ ମହିଳାଙ୍କ ଉପରେ ପ୍ରଶାନ୍ତଙ୍କର ଖରାପ ନଜର ପଡିଥିଲା। ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ପ୍ରଶାନ୍ତ ସମ୍ପୃକ୍ତ ମହିଳାଙ୍କ ଘରେ ପଶିଥିବାବେଳେ ପରିବାର ଲୋକେ ତାଙ୍କୁ ଧରି ପ୍ରବଳ ମାଡ ମାରିଥିଲେ । ପ୍ରଶାନ୍ତ କ୍ଷମା ମାଗିବା ପରେ ପରିବାର ଲୋକେ ଏବଂ ସାହି ଲୋକ ପ୍ରଶାନ୍ତଙ୍କୁ ଛାଡିଥିବା ଜଣାପଡ଼ିଛି । ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ। ତେବେ ପୁଲିସ ବାବୁ ଧରାପଡିବା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।