ରାଉରକେଲା,୧୧/୦୨; ବିର୍ସା ମୁଣ୍ଡା ଷ୍ଟାଡିୟମରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ । ପ୍ରଥମ ଦିବସରେ ବେଲଜିୟମ-ଆର୍ଜେଣ୍ଟିନା ମୁହାଁମୁହିଁ ହୋଇଥିଲେ । ୫-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରି ବେଲଜିୟମ ବିଜୟ ଅଭିଯାନ ଆରମ୍ଭ କରିଛି । ଆଜି ଘରୋଇ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ବେଲଜିୟମକୁ ଭେଟିବ ।

ବେଲଜିୟମ-ଆର୍ଜେଣ୍ଟିନା ମ୍ୟାଚ୍‌ : ଆରମ୍ଭରୁ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରିଥିଲା । ପ୍ରଥମ କ୍ୱାର୍ଟରରେ ୨-୧ ଗୋଲରେ ଅଗ୍ରଣୀ ରହିଥିଲା । ସେମିତି ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଦଳ ୩-୨ ଗୋଲରେ ଆଗୁଆ ରହିଥିଲା । ତୃତୀୟ କ୍ୱାର୍ଟରରେ ବେଲଜିୟମ ପ୍ରତ୍ୟାବର୍ତ୍ତନ କରି ସ୍ଥିତି ୩-୩ ଗୋଲ କରିଥିଲା । ଶେଷ କ୍ୱାର୍ଟରରେ ବେଲଜିୟମ ଆଉ ୨ଟି ଗୋଲ୍ ଦେଇ ୫-୩ ଗୋଲରେ ମ୍ୟାଚ୍ ଜିତି ନେଇଥିଲା । ଆର୍ଜେଣ୍ଟିନା ପକ୍ଷରୁ ୨,୯ ଓ ୨୪ ମିନିଟରେ ଗୋଲ ହୋଇଥିଲା । ବେଲଜିୟମର ଟମ ବୁନ (୧୫,୩୦ ଓ ୫୮ ମିନିଟ) ହ୍ୟାଟ୍ରିକ ଗୋଲ୍ ଦେଇଥିଲେ ।

ଏହା ବି ପଢନ୍ତୁ...ପ୍ରଥମେ ଅହଂକାର, ପୁଣି ୟୁ-ଟର୍ଣ୍ଣ; ଓହରିବା ପାକିସ୍ତାନର ପୁରୁଣା ଅଭ୍ୟାସ

ସେମିତି ୩୨ ଓ ୫୩ ମିନିଟରେ ଆଉ ୨ଟି ଗୋଲ୍ ହୋଇଥିଲା । ଭାରତ ଘରୋଇ ଗ୍ରାଉଣ୍ଡରୁ ପ୍ରୋ ଲିଗ ୨୦୨୫-୨୬ ସିଜନ ଆରମ୍ଭ କରିବ । ବେଲଜିୟମ ବିପକ୍ଷରେ ବିଜୟୀ ହୋଇ ପଏଣ୍ଟ ଖାତା ଖୋଲିବାକୁ ଦଳ ଲକ୍ଷ୍ୟ ରଖିଛି । ଭାରତୀୟ ଦଳରେ ଯୁବ ଓ ବରିଷ୍ଠ ଖେଳାଳିଙ୍କ ସନ୍ତୁଳନ ରହିଛି । ଆହତ ଯୋଗୁ ଦଳରୁ ଦୂରେଇ ରହିଥିବା ଫରୱାର୍ଡ ଅରଇଜିତ ସିଂ ହୁଣ୍ଡାଲ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ୧୨ରେ ଆର୍ଜେଣ୍ଟିନାକୁ, ୧୪ରେ ବେଲଜିୟମକୁ ଏବଂ ୧୫ରେ ଆର୍ଜେଣ୍ଟିନାକୁ ଭେଟିବାର ସୂଚୀ ରହିଛି ।