ଜୟପୁର,୦୬/୧୦: ରାଜସ୍ଥାନ ଜୟପୁରର ସବୁଠୁ ବଡ଼ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସବାଇ ମାନସିଂହ ଡାକ୍ତରଖାନାର ଟ୍ରମା କେୟାର୍‌ ସେଣ୍ଟର ଆଇସିୟୁଏରେ ନିଆଁ ଲାଗିଛି । ନ୍ୟୁରୋ ଆଇସିୟୁକୁ ନିଆଁ ବ୍ୟାପି ଜଳିଯାଇଛନ୍ତି ୮ ଜଣ ରୋଗୀ । ସେମାନଙ୍କ ମଧ୍ୟରେ ୨ ମହିଳା ଅଛନ୍ତି । ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଇସିୟୁରେ୧୧ ଜଣ ରୋଗୀ  ହୋଇଥିଲେ । ଅନ୍ୟ ୱାର୍ଡରେ ୧୩ ଜଣ ରୋଗୀ ଥିଲେ । ରବିବାର ବିଳମ୍ବିତ ରାତିରେ ଆଇସିୟୁ ଷ୍ଟୋର ରୁମ୍‌ରୁ ସର୍ଟ ସର୍କିଟରୁ ନିଆଁ ବ୍ୟାପିଥିଲା । ୨ ଘଣ୍ଟା ପରେ ନିଆଁକୁ ଆୟତ କରିଛନ୍ତି କର୍ମଚାରୀଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ହସ୍ପିଟାଲ ଅଗ୍ନିକାଣ୍ଡ ପାଇଁ କିଏ ଦାୟୀ ? ତାର ତଦନ୍ତ ନେଇ ଯାଞ୍ଚ କମିଟି ଗଠନ କରିଛନ୍ତି ରାଜସ୍ଥାନ ସରକାର 

ସବାଇ ମାନସିଂହ ହସ୍ପିଟାଲ ରାଜସ୍ଥାନର ସବୁଠୁ ବଡ଼ ସରକାରୀ ହସ୍ପିଟାଲ । ରବିବାର ରାତିରେ ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି । ଟ୍ରମା ସେଣ୍ଟରର ଦ୍ୱିତୀୟ ମହଲାରେ ଥିବା ଆଇସିୟୁ ୱାର୍ଡରେ ନିଆଁ ଲାଗିଛି । ଅନେକ ରୋଗୀ କୋମାରେ ଥିଲେ । ମୋଟ ୧୧ ଜଣ ଟ୍ରମା ଆଇସିୟୁରେ ଭର୍ତ୍ତି ହୋଇଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ ସବୁ ଜଳିପୋଡି ପାଉଁଶ ହୋଇଛି । ଟ୍ରମା କେୟାର ସେଣ୍ଟର ଇନଚାର୍ଜ ଅନୁରାଗ ଢାକଡ ପ୍ରଥମ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ । ପରବର୍ତ୍ତୀ ସମୟରେ ଏହା ବଢି ୮ରେ ପହଞ୍ଚିଛି । ସେ କହିଛନ୍ତି,'' ସର୍ଟ ସର୍କିଟି ଯୋଗୁ ନିଆଁ ଲାଗିଛି । ରୋଗୀଙ୍କ ଅବସ୍ଥା ଗୁରୁତର ଥିଲା । ଅଧିକାଂଶ ରୋଗୀ କୋମାରେ ଥିଲେ । ଇଲେକ୍ଟ୍ରି ନିଆଁରୁ ଟକ୍ସିକ୍ ଗ୍ୟାସ ବାହାରିଥିଲା । ସେମାନଙ୍କ ଅବସ୍ଥା ଆହୁରି ଖରାପ ହୋଇଥିଲା । ଆମେ ଆଇସିୟୁ ତଳ ପ୍ଲୋରକୁ ସିପ୍ଟ କରିବାକୁ ଚେଷ୍ଟା କରିଥିଲୁ । ହେଲେ ପାରିଲୁନାହିଁ ।''

​​​​​​​ରାଜସ୍ଥାନ ମନ୍ତ୍ରୀ ଜବାହାର ସିଂହ ବେଦମ ଏସଏମଏସ ହସ୍ପିଟାଲ ଅଗ୍ନିକାଣ୍ଡ ବିଷୟରେ କହିଛନ୍ତି, "ସର୍ଟ ସର୍କିଟ ଯୋଗୁଁ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସେଠାରେ ପହଞ୍ଚିଥିଲେ । ଘଟଣା ଦୁର୍ଭାଗ୍ୟଜନକ । କିଛି ଲୋକ ପ୍ରାଣ ହରାଇଛନ୍ତି । ୨୪ ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଆମର ପ୍ରାଥମିକତା । ଘଟଣା ବିଷୟରେ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତୁରନ୍ତ ହସ୍ପିଟାଲରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି ।


ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, '' ମୋ ମାଉସୀଙ୍କ ୨୫ ବର୍ଷୀୟ ପୁଅ ହସ୍ପିଟାଲରେ ଥିଲା । ହଠାତ୍‌ ରାତି ପ୍ରାୟ ୧୧ଟା ୨୦ରେ ଧୂଆଁ ବାହାରିଲା । ଆମେ ଡାକ୍ତର ଜଣାଇଲୁ କି ଧୂଆଁ ବାହାରୁଛି ରୋଗୀଙ୍କୁ ସମସ୍ୟା ହୋଇପାରେ । ଧୀରେ ଧୀରେ ଧୂଆଁ ବଢିଲା । ଡାକ୍ତାର, ଅନ୍ୟ ସମସ୍ତ କର୍ମଚାରୀ ଚାଲିଗଲେ । ଅଚାନକ ଧୂଆଁ ଜୋର ହୋଇଥିଲା । ରୋଗୀଙ୍କୁ ସ୍ଥାନାନ୍ତର କରିପାରିଲୁ ନାହିଁ । ମାତ୍ର ୪ରୁ୫ ଜଣଙ୍କୁ ବାହାର କରିଥିଲୁ । ୬ ଜଣ ଭିତରେ ରହିଗଲେ ସମସ୍ତେ ଜଳିଗଲେ । ମୋ ଭାଇ ଭଲ ହୋଇଥିଲା ଦୁଇ-ତିନି ଦିନ ଭିତରେ ଡିସଚାର୍ଜ ହେବାର ଥିଲା ।''