କଟକ,୧୮/୦୩ : ଅଗ୍ନିକାଣ୍ଡରେ ଟ୍ରମା ଆଇସିୟୁ ଛାରଖାର ହୋଇଯାଇଛି । ବେଡ୍‌ଠାରୁ ଆରମ୍ଭ କରି ଭେଣ୍ଟିଲେଟର୍‌ ଆଦି ଯାବତୀୟ ଉପକରଣ ଜଳି ଅଙ୍ଗାର ହୋଇଯାଇଛି । ନିକଟରେ ମଧ୍ୟ ଏହି ଆଇସିୟୁ କାର୍ଯ୍ୟକ୍ଷମ ହେଲା ପରି ଅନୁମାନ ହେଉନାହିଁ । ଅନ୍ୟପକ୍ଷରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟଣା ପରେ ଏହି ବିଲ୍‌ଡିଂର ଦ୍ୱିତୀୟ ଓ ତୃତୀୟ ମହଲାରେ ଟ୍ରମା କେୟାର ସେଣ୍ଟର ୱାର୍ଡ ନମ୍ବର ୧, ୨ ଏବଂ ୩ରେ ଚିକିତ୍ସିତ ଦୁର୍ଘଟଣାଗ୍ରସ୍ତଙ୍କୁ ଧୂଆଁ ଭିତରେ ଟଣାଭିଡ଼ା ଓ ଘୋଷରା ଓଟରା କରି ବାହାରକୁ ନିଆଯାଇଥିଲା । ଫଲରେ ଅନେକଙ୍କ ଅବସ୍ଥା ଅଧିକ ଖରାପ ହୋଇପଡ଼ିଛି । ଗଲା ଦୁଇ ଦିନ ହେଲା ଦୁର୍ଘଟଣାଗ୍ରସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ଚେତାଶୂନ୍ୟ ଅବସ୍ଥାରେ ଥିବା ଗୁରୁତରଙ୍କ ପାଇଁ ଆଇସିୟୁ ଦରକାର ଥଲେ ମଧ୍ୟ ସେମାନଙ୍କୁ ମିଳିପାରୁନାହିଁ । ଏମିତିକି ବେଡ୍‌ ମଧ୍ୟ ମିଳିପାରିନାହିଁ । ଏପରିସ୍ଥଳେ ଗୁରୁତର ଦୁର୍ଘଟଣାଗ୍ରସ୍ତମାନେ ଏବେ ଟ୍ରମା କେୟାର୍‌ ୱାର୍ଡର ଚଟାଣରେ ଗଡୁଛନ୍ତି । ସେମାନଙ୍କ ଚିକିତ୍ସାରେ ବହୁ ଅବହେଳା କରାଯାଉଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ସଲରାପଦା ଅଞ୍ଚଳର ଦୁର୍ଘଟଣାଗ୍ରସ୍ତ ରାମ ମାଝୀ (୩୦)ଙ୍କ ଅବସ୍ଥା ଖରାପ ସ୍ଥିତିରେ ରହିଛି । ଚେତା ନାହିଁ । ଆଇସିୟୁ ନିତ୍ୟାନ୍ତ ଆବଶ୍ୟକ ବୋଲି ଡାକ୍ତର କହୁଛନ୍ତି । ମାତ୍ର ଏବେ ସେ ଚଟାଣରେ ପଡ଼ିଛନ୍ତି । ସେହିପରି କେନ୍ଦୁଝରର ଗଙ୍ଗାରାମ ମୁଣ୍ଡା । ଗୋଡ଼ ଭାଙ୍ଗି ଦୁଇ ଖଣ୍ଡ ହୋଇଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଅପରେସନ୍‌ ହୋଇଥିଲେ ହେଁ ସ୍ୱାସ୍ଥ୍ୟାଗତ ସମସ୍ୟା ଲାଗି ରହିଛି । ସେ ବସି ଉଠି ପାରୁନାହାନ୍ତି । ନିଆଁ ଲାଗିବା ସମୟରେ ସମ୍ପର୍କୀୟ ଜୀବନବିକଳରେ ଘୋଷାରି ର‌୍ୟାମ୍ପରେ ତଳକୁ ଯାଇଥିଲେ । ସେହିଦିନଠାରୁ ଗଙ୍ଗାରମ ଅବସ୍ଥାରେ ଅବନତି ଘଟିଛି । ଗତକାଲି ସକାଳ ୯ଟା ପରଠାରୁ ସ୍ଥାନାନ୍ତର ହୋଇଥିବା ପ୍ରାୟ ୬୦ରୁ ଅଧିକ ଦୁର୍ଘଟଣାଗ୍ରସ୍ତ ୱାର୍ଡକୁ ଫେରିଥିଲେ ମଧ୍ୟ ସେମାନଙ୍କ ମନରୁ ଭୟ ଯାଇନାହିଁ ।

ଏହି ଖବରଟିକୁ ପଢନ୍ତୁ- ଏସ୍‌ସିବି ଟ୍ରାଜେଡ଼ି: ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ