ଭୁବନେଶ୍ୱର,୨୧/୦୯: ଆଜିଠୁ ଜାମ୍ମୁ କାଶ୍ମୀରର ଡାଲ୍‌ ହ୍ରଦରେ ଆରମ୍ଭ ହେବ ପ୍ରଥମ ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା ମହୋତ୍ସବ (କେଆଇଡବ୍ଲୁଏସଏଫ) । ୨୪ଟି ଇଭେଣ୍ଟରେ ଦେଶର ଶ୍ରେଷ୍ଠ ଖେଳାଳିମାନେ ସ୍ୱର୍ଣ୍ଣ  ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ।  ଏହା ୩ ଦିନ ଧରି ଚାଲିବ । ସେଲିଂ, କାନୋଇଂ ଏବଂ କାୟାକିଂରେ ୪୦୦ରୁ  ଉର୍ଦ୍ଧ୍ବ ଖେଳାଳି ଭାଗ ନେବେ ।  

ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା  ମହୋତ୍ସବରେ ୧୪ଟି କାୟାକିଂ ଏବଂ  କାନୋଇଂ ଇଭେଣ୍ଟ ଓ ୧୦ଟି ରୋଇଂ  ଇଭେଣ୍ଟ ରହିଛି । ୱାଟର ସ୍କିଇଂ, ସମିଟ୍‌ ବୋଟ୍‌  ସ୍ପ୍ରିଙ୍ଗ୍‌ ଏବଂ ଡ୍ରାଗନ୍‌ ବୋଟ୍‌ ଦୌଡ଼ରେ ମଧ୍ୟ  ପ୍ରତିଯୋଗିତା ହେବ । ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ  କେରଳର ଖେଳାଳିମାନେ ଅଧିକ ଫୋକସରେ  ରହିବେ । ଖେଲୋ ଇଣ୍ଡିଆ ଜଳକ୍ରୀଡ଼ା ମହୋତ୍ସବ  ଖେଲୋ ଇଣ୍ଡିଆ କ୍ୟାଲେଣ୍ଡରରେ ଏକ ନୂତନ  ଇଭେଣ୍ଟ । ୨୦୨୫ରେ ୨ଟି ନୂତନ ଇଭେଣ୍ଟ  ଯୋଡ଼ାଯାଇଛି। ଖେଲୋ ଇଣ୍ଡିଆ ବିଚ୍‌ ଗେମ୍ସ ମେ’  ମାସରେ ଅନୁଷ୍ଠିତ ହୋଇଥିଲା ।

ଖେଲୋ ଇଣ୍ଡିଆ  ନୀତି ଅନୁଯାୟୀ, ଜଳକ୍ରୀଡ଼ା ଓ ବିଚ୍‌ ଗେମ୍ସ ଉଭୟ  କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ପର୍ଯ୍ୟଟନକୁ  ଆକର୍ଷିତ କରିବା ମୂଳ ଲକ୍ଷ୍ୟ । ଜଳକ୍ରୀଡ଼ାରେ ପୁରୁଷ ଏବଂ ମହିଳାଙ୍କ  ପ୍ରତିନିଧିତ୍ୱ ସମାନ ରହିଛି । ମୋଟ୍‌ ୪୦୯  ଜଣ ଖେଳାଳିଙ୍କ ମଧ୍ୟରୁ ୨୦୨ ଜଣ ମହିଳା  ରହିଛନ୍ତି । ମଧ୍ୟପ୍ରଦେଶରୁ ୪୪ ଜଣ,  ହରିଆନାରୁ ୩୭ ଜଣ, ଓଡ଼ିଶାରୁ ୩୪ ଜଣ  ଏବଂ କେରଳରୁ ୩୩ ଜଣ ଭାଗ ନେଉଛନ୍ତି ।