ଶିମଲା: ହିମାଚଳ ପ୍ରଦେଶର କାଙ୍ଗଡ଼ା ଓ କୁଲୁ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ଆକସ୍ମିକ ଭାବେ ବନ୍ୟା ମାଡି ଆସିଛି। ଏହି ବନ୍ୟାରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୭ରୁ ୧୦ ଜଣ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ବୁଧବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
କାଙ୍ଗଡ଼ା ଜିଲ୍ଲାର ଖନିୟାରା ଗାଁରେ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି, ଯାହା ଫଳରେ ଅନେକ ଘର, ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। କୁଲୁ ଜିଲ୍ଲାରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ଯେଉଁଠାରେ ନିର୍ମନ୍ଦ, ଆନି ଓ ଜମାତଖାନା ଅଞ୍ଚଳରେ ଭୟଙ୍କର ବାଦଲଫଟା ବର୍ଷା ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ପାଣିପାଗ ବିଭାଗ କାଙ୍ଗଡ଼ା, କୁଲୁ, ଶିମଲା, ମଣ୍ଡି ଓ ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟମରୁ ତୀବ୍ର ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରିଛି। ଏହା ସହିତ ଆଗାମୀ ୫ରୁ ୬ ଦିନ ମଧ୍ୟରେ ମୌସୁମୀ ବର୍ଷାର ତୀବ୍ରତା ବଢ଼ିବାର ସମ୍ଭାବନା ରହିଛି ବୋଲି ଘୋଷଣା କରିଛି।
ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (SDRF), ସେନା, ଆଇଟିବିପି, ସିଆଇଏସଏଫ ଓ ହିମାଚଳ ପ୍ରଦେଶ ପୁଲିସ ସମେତ ଶତାଧିକ ଉଦ୍ଧାରକାରୀ ନିୟୋଜିତ ହୋଇଛନ୍ତି। ଅଧିକ ଯନ୍ତ୍ରପାତି, ସ୍ନିଫର ଡଗ ସ୍କ୍ୱାଡ, ଡ୍ରୋନ ଓ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ପୀଡ଼ିତମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କେନ୍ଦ୍ର ସରକାରଙ୍କ ନିକଟରୁ ସହାୟତା ଲୋଡ଼ିବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ ମାଗିଥିବା ନେଇ ସୂଚନା ମିଳିଛି।
ପ୍ରଶାସନ ଲୋକମାନଙ୍କୁ ନଦୀ ଓ ନାଳ ମିକଟରୁ ଦୂରରେ ରହିବାକୁ ଏବଂ ନିରାପଦ ସ୍ଥାନକୁ ଯାତ୍ରା କରିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ପାଇଁ ରାଜ୍ୟରେ ଅନେକ ରାସ୍ତା ବନ୍ଦ ରହିଛି ଏବଂ ବିଦ୍ୟୁତ ଓ ଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।
ଏହି ଘଟଣା ପୁଣି ଥରେ ହିମାଚଳ ପ୍ରଦେଶ ପରି ପାର୍ବତୀୟ ରାଜ୍ୟଗୁଡ଼ିକରେ ବାଦଲଫଟା ବର୍ଷା ଓ ବନ୍ୟାର ଭୟାବହତାକୁ ସାମ୍ନାକୁ ଆଣିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ଚରମ ପାଣିପାଗ ଘଟଣା ବଢ଼ିବାର ଆଶଙ୍କା ପ୍ରକାଶ କରାଯାଉଛି ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।