ବାଲେଶ୍ୱର/ରେମୁଣା,୨୭/୦୭: ପୁଣି ଚର୍ଚ୍ଚାର  ପରିସରକୁ ଆସିଛି ବାଲେଶ୍ୱର ଜିଲ୍ଲାର ଏଫ୍‌ ଏମ୍‌ କଲେଜ ।  ସୌମ୍ୟାଶ୍ରୀ ଆତ୍ମାହୁତି ମାମଲା ଶାନ୍ତ ନପଡ଼ୁଣୁ ଉକ୍ତ କଲେଜ  କ୍ୟାମ୍ପସ ପରିସରରେ ରହୁଥିବା ଜଣେ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା  ଅଭିଯୋଗ ଆସିଛି । ଅଭିଯୁକ୍ତ  ନୀଳଗିରି ବ୍ଲକ୍‌ ମର୍ଦ୍ଦରାଜପୁର  ଅଞ୍ଚଳର ଶଙ୍କର ଓରଫ  ହରିହର ପାତ୍ର(୨୧) । ଏହି  ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପୁଲିସ ଶଙ୍କରକୁ ଗିରଫ କରିଛି । 

ସୂଚନା ମୁତାବକ, ଏଫ୍‌ ଏମ୍‌ କଲେଜ କ୍ୟାମ୍ପସ ଭିତରେ  ସପରିବାର ରହୁଛନ୍ତି ଜଣେ ପ୍ରାଧ୍ୟାପକ । ଶନିବାର ଅପରାହ୍ଣରେ ପ୍ରାଧ୍ୟାପକ  ଜଣକ ଘରେ ନ ଥିଲେ । ଏହାର  ସୁଯୋଗ ନେଇ ଶଙ୍କର ତାଙ୍କ ଘରକୁ  ଯାଇଥିଲା । ଗ୍ୟାସ୍‌ ଡେଲିଭରୀ ବୟ  ବୋଲି ନିଜକୁ ପରିଚୟ ଦେଇ ଘର ଭିତରକୁ ପଶିବା ସହ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ।  ମହିଳାଙ୍କ ଚିତ୍କାର ଶୁଣି ଅନ୍ୟମାନେ  ଆସିବା ଭୟରେ ଶଙ୍କର ସେଠାରୁ  ପଳାଇଯାଇଥିଲା । ଏନେଇ ପ୍ରାଧ୍ୟାପକ  ରେମୁଣା ଥାନାରେ ଲିଖିତ ଅଭିଯୋଗ  କରିଛନ୍ତି । ଅଭିଯୋଗ କ୍ରମେ କେସ  ନଂ ୧୩୧/୨୫ରେ ମାମଲା ରୁଜୁ କରି  ପୁଲିସ ତଦନ୍ତ କରୁଛି ।