ଭୁବନେଶ୍ୱର/ବାଲେଶ୍ୱର,୧୫/୦୭: ସ୍ୱାସ୍ଥ୍ୟବସ୍ଥାରେ  କୌଣସି ସୁଧାର ଆସିଲାନି । ଡାକ୍ତରୀ  ଟିମ୍‌ ଅକ୍ଲାନ୍ତ ଉଦ୍ୟମ କଲେ । ଡାଏଲିସିସ୍‌ କରିବା ସହ ଟ୍ରିପଲ ଆୟୋନଟ୍ରପ୍‌ ସପୋର୍ଟରେ ରଖିଥିଲେ । ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସୌମ୍ୟାଶ୍ରୀ ବିଶି ।  ସୋମବାର ରାତି ୧୧.୪୬ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ୱର ଏମ୍‌ସ ପକ୍ଷରୁ ସୂଚନା ଦେଇଛନ୍ତି । ଏମ୍‌ସରେ ପୀଡ଼ିତାଙ୍କୁ ପୋଷ୍ଟମର୍ଟମ କରାଯାଇଥିଲା । ପରେ ସୌମ୍ୟାଶ୍ରୀଙ୍କ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାରଙ୍କ ସହମତିରେ ଭୁବନେଶ୍ୱର ଏମ୍‌ସରୁ ଭୋଗରାଇକୁ ମୃତଦେହ ନିଆଯାଇଛି। ସେଠାରେ ତାଙ୍କ ଶେଷକୃତ୍ୟ କରାଯିବ।

ବାଲେଶ୍ୱର ଫକୀର ମୋହନ କଲେଜ  ଛାତ୍ରୀ ସୌମ୍ୟାଶ୍ରୀ (୨୦) ଶନିବାର  ଦିନ କଲେଜରେ ଆତ୍ମାହୁତି ଉଦ୍ୟମ  କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତର ହୋଇଥିଲେ । ଦୁଇ ଦିନ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ସୋମବାର ରାତି ୧୧ଟା  ୪୬ ମିନିଟରେ ସେ ଆଖି ବୁଜି ଦେଇଛନ୍ତି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଭୋଗରାଇ ପଳାସିଆରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୌମ୍ୟାଶ୍ରୀଙ୍କ ମରଶରୀର ପହଞ୍ଚିବା ପୂର୍ବରୁ କାନ୍ଦ ବୋବାଳି ଫାଟୁଛି ଗାଁ ପରିବେଶ। ବାହୁନି ହେଉଛନ୍ତି ପରିବାର ଓ ଜ୍ଞାତି କୁଟୁମ୍ବ।




ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି,  ଆଶା କରିଥିଲୁ ଝିଅ ବଞ୍ଚିଯିବ ବୋଲି, କିନ୍ତୁ ସମ୍ଭବ ହେଲାନି। ୬୦ ଘଣ୍ଟାର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ। ଏହି ମାମଲାରେ ଯେଉଁମାନେ ବି ସଂପୃକ୍ତ ଅଛନ୍ତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ। ଦୋଷୀକୁ କଠୋର ଦଣ୍ଡ ମିଳିବ।




ଫକୀରମୋହନ ସ୍ୱୟଂଶାସିତ ମହବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଏକ୍ସରେ ଲେଖି ପୋଷ୍ଟ କରିଛନ୍ତି।



ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଦୁଃଖପ୍ରକାଶ କଲେ ରାଜ୍ୟପାଳ। କହିଲେ, ଛାତ୍ରୀଙ୍କ ଅକାଳ ବିୟୋଗ ଶୁଣି ମୁଁ ଗଭୀର ମର୍ମାହତ ।ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଆମ କ୍ୟାମ୍ପସକୁ ସୁରକ୍ଷିତ ରଖିବାକୁ ଜରୁରୀ ଆବଶ୍ୟକତା ବୋଲି ମନେ ପକାଉଛି ।ଆଇନ୍ କଡ଼ା ପଦକ୍ଷେପ ନେବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ ।