ଭୁବନେଶ୍ୱର ,୨୬।୧୧ : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଦେଶ ଶିକ୍ଷାବୃତ୍ତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ଲାଗୁ କରାଯିବ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନେ ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ।

ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ। ବିଦେଶ ଶିକ୍ଷା ବୃତ୍ତି ଯୋଜନା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କର ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବାର ସ୍ୱପ୍ନକୁ ସାକାର କରିବ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ଆଉ ବାଧକ ସାଜିବ ନାହିଁ। ଏଥିସହ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ତରଫରୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଆକାଡ଼େମିକ ପରଫରମାନ୍ସ ଅଡ଼ିଟ କରାଯିବ। ଏହା ନିଶ୍ଚିତ ରୂପେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବ।

ଯେଉଁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରର ବାର୍ଷିକ ଆୟ ୧୨ଲକ୍ଷ କିମ୍ବା ୧୨ଲକ୍ଷ ଟଙ୍କାରୁ କମ୍ ହୋଇଥିବା ସେହିମାନେ ଏହି ଛାତ୍ରବୃତ୍ତି ନିମନ୍ତେ ଆବେଦନ କରିପାରିବେ। ଛାତ୍ରବୃତ୍ତି ପାଇବା ନିମନ୍ତେ ଛାତ୍ର ବା ଛାତ୍ରୀଜଣକ ବିଶ୍ଵର ଶ୍ରେଷ୍ଠ ୨୦୦ କ୍ୟୁଏସ ରାଙ୍କିଙ୍ଗ ଶିକ୍ଷାନୁଷ୍ଠାନରେ (Top 200 QS Ranking Foreign Institution/ University) ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ପାଇଁ ନାମଲେଖା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ଏହି ବୃତ୍ତି ନିମନ୍ତେ ପ୍ରତିବର୍ଷ ୨ ଥର (ଜୁଲାଇ- ଅଗଷ୍ଟ ମାସ ଅବଧି ଏବଂ ଡିସେମ୍ବର-ଜାନୁଆରୀ ମାସ ଅବଧି) ଆବେଦନ କରିପାରିବେ। ପ୍ରତିବର୍ଷ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ଜଣ ଛାତ୍ରଛାତ୍ରୀମାନଙ୍କୁ ଏହି ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ୫୦ଜଣଙ୍କ ମଧ୍ୟରୁ ଇନଞ୍ଜିନିୟରିଙ୍ଗ ଓ ବୈଷୟିକ ଶିକ୍ଷା ନିମନ୍ତେ ୧୦ ଜଣ (ଇନଞ୍ଜିନିୟରିଙ୍ଗ ଓ ବୈଷୟିକ ଶିକ୍ଷାରେ ପିଜି ପାଠ୍ୟକ୍ରମ ପାଇଁ ୪ଜଣ ଏବଂ ପିଏଚଡ଼ି ପାଠ୍ୟକ୍ରମ ପାଇଁ ୬ଜଣ) ମେଡ଼ିକାଲ, କୃଷି, ଆରକିଟେକଚର ଓ ଅନ୍ୟାନ୍ୟ ଟେକନିକାଲ କୋର୍ସ ନିମନ୍ତେ ୧୦ଜଣ (ପିଜି ପାଠ୍ୟକ୍ରମ ପାଇଁ ୪ଜଣ ଏବଂ ପିଏଚଡ଼ି ପାଠ୍ୟକ୍ରମ ପାଇଁ ୬ଜଣ), ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ପାଠ୍ୟକ୍ରମ ପାଇଁ ୩୦ଜଣ (ପିଜି ପାଇଁ ୧୦ଜଣ ଓ ପିଏଚଡ଼ି ପାଇଁ ୨୦ଜଣ) ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ। ପ୍ରତ୍ୟେକ ଛାତ୍ର ବା ଛାତ୍ରୀଙ୍କୁ ସର୍ବାଧିକ ବାର୍ଷିକ ୨୫ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ।

ବିଦେଶ ଶିକ୍ଷା ବୃତ୍ତି ଯୋଜନାର ଶୁଭାରମ୍ଭ ସହିତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୩୪ଜଣଙ୍କୁ ଗ୍ରୁପ ସି ଓ ଗ୍ରୁପ ଡ଼ି ବର୍ଗରେ ଅନୁକମ୍ପାମୂଳକ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏଥିସହ ରାଜ୍ୟରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଆକାଡ଼େମିକ ପରଫରମାନ୍ସ ଅଡ଼ିଟ ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦକୁ କପି ରାଇଟ୍  ମଧ୍ୟ ପ୍ରଦାନ କରାଯାଇଛି । ଯାହାଦ୍ୱାରା ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ଵାରା ରାଜ୍ୟରେ ରହିଥିବା ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ଶୈକ୍ଷିକ ମାନଦଣ୍ଡକୁ ସଠିକ ରୂପେ ଯାଞ୍ଚ କରାଯାଇପାରିବ। ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପ୍ରଥମ ଯେକି ଏହିପରି ବ୍ୟବସ୍ଥାକୁ ଲାଗୁ କରିଛି।

ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ସମସ୍ତ ନବନିଯୁକ୍ତମାନଙ୍କୁ ନିଷ୍ଠାପରତାର ସହ କାର୍ଯ୍ୟ କରିବା ପାଇଁ କହିଥିଲେ। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।