ଥିରୁଅନନ୍ତପୁରମ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କମ୍ୟୁନିଷ୍ଟ ନେତା ଭି.ଏସ୍. ଅଚ୍ୟୁତାନନ୍ଦନ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସୋମବାର ୧୦୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ ମାସରେ ହୃଦଘାତ ହେବାରୁ ସେ ଏଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇ-ଏମ୍)ର ଅନେକ ନେତା ତାଙ୍କୁ ହସ୍ପିଟାଲରେ ଭେଟିଥିଲେ । ଭି.ଏସ୍. ଅଚ୍ୟୁତାନନ୍ଦନ ୨୦୦୬ ରୁ ୨୦୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଥିଲେ । ୧୫ ବର୍ଷ ଧରି କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ଅଚ୍ୟୁତାନନ୍ଦନ ରାଜନୈତିକ କ୍ଷେତ୍ରରେ ଭି.ଏସ୍. ଭାବରେ ପରିଚିତ ଥିଲେ ।
୧୯୪୦ ମସିହାରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେବା ପୂର୍ବରୁ ସେ ୧୯୩୯ ମସିହାରେ ଟ୍ରେଡ୍ ୟୁନିଅନ୍ ମାଧ୍ୟମରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ପୂରା ନାମ ଥିଲା ଭେଲିକ୍କାକାଥୁ ଶଙ୍କରନ୍ ଅଚ୍ୟୁତାନନ୍ଦନ । ସେ ବାମପନ୍ଥୀ ଦଳ ସିପିଏମର ଜଣେ ବଡ଼ ନେତା ଥିଲେ । ଭି.ଏସ୍. ଅଚ୍ୟୁତାନନ୍ଦନ ୧୯୮୫ ରୁ ୨୦୦୯ ପର୍ଯ୍ୟନ୍ତ ସିପିଏମ୍ ପଲିଟବ୍ୟୁରୋର ସଦସ୍ୟ ମଧ୍ୟ ଥିଲେ। ପରେ ତାଙ୍କୁ ଦଳର କେନ୍ଦ୍ରୀୟ କମିଟିରେ ସାମିଲ କରାଯାଇଥିଲା।
ସେ ଟ୍ରାଭାଙ୍କୋରରେ କରଶାକା ଥୋଜିଲାଲି ୟୁନିଅନ ପ୍ରତିଷ୍ଠା କରିଥିଲେ। ଏହି ୟୁନିଅନ ପରବର୍ତ୍ତୀ ସମୟରେ କେରଳ ରାଜ୍ୟ କରଶାକା ଥୋଜିଲାଲି ୟୁନିଅନରେ ପରିଣତ ହୋଇଥିଲା। ଭି.ଏସ୍. ଅଚ୍ୟୁତାନନ୍ଦନ ଅନେକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ସେ ୧୯୪୬ ମସିହାର ପୁନ୍ନାପ୍ରା-ଭାୟାଲାର ବିଦ୍ରୋହର ମୁଖ୍ୟ ନେତା ଥିଲେ। ଆନ୍ଦୋଳନ ଯୋଗୁଁ ସେ ପାଞ୍ଚ ବର୍ଷରୁ ଅଧିକ ସମୟ ପାଇଁ ଜେଲରେ ଥିଲେ ଏବଂ ପ୍ରାୟ ସାଢ଼େ ଚାରି ବର୍ଷ ଧରି ଅଣ୍ଡରଗ୍ରାଉଣ୍ଡ ଥିଲେ।