ବ୍ରହ୍ମପୁର,୦୪/୦୧: ଆଧୁନିକ ଯୁଗରେ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟ ଫୋନ୍ । ଅନ୍ଲାଇନ ପ୍ଲାଟଫର୍ମରେ ହାତ ପାଆନ୍ତାରେ ସମସ୍ତ ସୁବିଧା ସୁଯୋଗ ମିଳୁଥିବାର ଏହାର ପ୍ରସାର ବଢ଼ୁଛି । ଏହାସହ ବଢୁଛି ସାଇବର୍ ଠକେଇ । ସ୍ମାର୍ଟ ଫୋନ୍, ଲାପ୍ଟପ, ଏଟିଏମ୍ ବ୍ୟବହାର କରୁଥିବା ଦୃଷ୍ଟିବାଧିତ ମଧ୍ୟ ସାଇବର ଅପରାଧର ଶିକାର ହେଉଛନ୍ତି । ଏଥିରେ ରୋକ ଲଗାଇବା ସହ ଦୃଷ୍ଟି ବାଧିତଙ୍କୁ ସଚେତନତା କରିବା ପାଇଁ ପଦକ୍ଷେପ ନେଇଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) । ଦୃଷ୍ଟି ବାଧିତଙ୍କ ପାଠ୍ୟକ୍ରମରେ ସାମିଲ ହେବ ୪ଟି ପୁସ୍ତକ । ଶନିବାର ଭୁବନେଶ୍ୱର ଓଡ଼ିଶା ଆସୋସିଏସନ ଫର୍ ଦି ବ୍ଲାଇଣ୍ଡ୍ ପରିସରରେ ଏହାର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ବ୍ରେଲି ମୁଦ୍ରଣାଳୟରେ ପ୍ରଥମ ପର୍ଯ୍ୟାୟରେ ୮ ଶହ ପୁସ୍ତକ ମୁଦ୍ରିତ ହୋଇଥିବା ମ୍ୟାନେଜର ପ୍ରକାଶ ନାରାୟଣ ରଥ କହିଛନ୍ତି ।
ସଭିଙ୍କୁ ଲାଗିଛି ଆଧୁନିକତାର ଛାପ । ଭିନ୍ନକ୍ଷମଙ୍କ ଠାରୁ ଆରମ୍ଭ କରି ଦୃଷ୍ଟି ବାଧିତ ସଭିଏଁ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି । ସେମାନଙ୍କୁ ସଶକ୍ତ କରିବାକୁ ସରକାର ୨୦୧୬ ପରଠୁ ଯୁକ୍ତ ୩ରେ ପଢ଼ୁଥିବା ଦୃଷ୍ଟିହୀନ ବିଦ୍ୟାର୍ଥୀଙ୍କୁ ଲାପ୍ଟପ ମଧ୍ୟ ଦେଉଛନ୍ତି । ଏପରି ଦିଗରେ ସାଇବର ଅପରାଧ ଦୃଷ୍ଟିବାଧିତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ତ୍ତମାନ ବହୁ ଦୃଷ୍ଟିବାଧିତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । କେହି ଆଇଏଏସ୍ ହେଲେଣି ତ ଅନେକ ସରକାରୀ ଅଧିକାରୀ ଓ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରୁଛନ୍ତି । ଏଟିଏମ୍ ବ୍ୟବହାର କରୁଛନ୍ତି । ଏହି ସମୟରେ ସେମାନେ ଠକେଇର ଶିକାର ହେବା ଆଶଙ୍କା ଅଧିକ ରହିଛି । ଦୃଷ୍ଟିବାଧିତଙ୍କୁ ସଚେତନ କରିବା ପାଇଁ ଆର୍ବିଆଇ ୪ଟି ପୁସ୍ତକ ବ୍ରେଲି ଅକ୍ଷରରେ ମୁଦ୍ରଣ କରୁଛି । ଏଥିରେ ଫିସିଙ୍ଗ୍ ଲିଙ୍କ୍, ଭିସିଂ କଲ, ଏଟିଏମ୍ କାର୍ଡ ସିମିଂ, ଲଟେରୀ, ଅନ୍ଲାଇନ ଚାକିରି, ନକଲି ଋଣ ଆପ ଠକେଇ, ସିମ୍ ଅଦଳବଦଳ ପରି ୪୦ରୁ ଅଧିକ ଠକେଇ ପ୍ରଣାଳୀରୁ କିପରି ସୁରକ୍ଷିତ ରହିବେ ସେ ନେଇ ପୁସ୍ତକରେ ରହିଛି ।
ବ୍ରହ୍ମପୁର ରେଡକ୍ରସ୍ କମ୍ପ୍ୟୁଟରାଇଜ ବ୍ରେଲି ପ୍ରେସ୍ ପରିଚାଳକ ପ୍ରକାଶ ନାରାୟଣ ରଥ କହିଛନ୍ତି, ଦୃଷ୍ଟିହୀନଙ୍କ ପାଇଁ ମୁଦ୍ରଣ କରୁଥିବା ୪ଟି ପୁସ୍ତକ ହେଲା ‘ରାଜୁ ଓ ଚାଳିଶି ଚୋର’, ‘ସତର୍କ ପରିବାର’, ‘ସତର୍କ ରୁହନ୍ତୁ’ ଓ ‘ଆର୍ôଥକ ସଚେତନତା ବାର୍ତ୍ତା’ । ଏହାସହ ୭୨ ପୃଷ୍ଠା ବିଶିଷ୍ଟ ଆର୍ôଥକ ସଚେତନତା ବାର୍ତ୍ତାର ୮ଶହ ପୁସ୍ତକ ଛପା ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୱାର୍ଲ୍ଡ ବ୍ରେଲି ଡେ’ରେ ଏହାର ଲୋକାର୍ପଣ ହେବ । ସେହିପରି ଅନ୍ୟ ସମସ୍ତ ପୁସ୍ତକର ହଜାରେ ଲେଖାଏଁ କପି ମୁଦ୍ରିତ ପ୍ରକ୍ରିୟା ଜାରି ରହିଛି । ଆଗାମୀ ବର୍ଷର ପାଠ୍ୟକ୍ରମରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ବିଦ୍ୟାର୍ଥୀ ଏହା ଅଧ୍ୟୟନ କରିବେ । ଦୃଷ୍ଟିବାଧିତ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି, ସାଧାରଣ ଲୋକଙ୍କ ଠାରୁ ଆମ ପାଇଁ ମୋବାଇଲ୍, ଲାପ୍ଟପ୍ ଆଦି ବ୍ୟବହାର କରିବା ଅଧିକ ଚ୍ୟାଲେଞ୍ଜ ରହୁଛି । ଦୃଷ୍ଟିହୀନ ଶିକ୍ଷିତ ଯୁବକ ଯୁବତୀ ଅନେକ ସରକାରୀ ଅଫିସ୍ରେ କାମ କରୁଛନ୍ତି । ସେମାନେ ମୋବାଇଲ୍, ଲାପ୍ଟପ୍, ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । ଦିନକୁ ଦିନ ସାଇବର ଠକେଇର ମାଧ୍ୟମ ବଢ଼ୁଛି । ଏ ଦିଗରେ ଆରବିଆଇ ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ।