ନୂଆଦିଲ୍ଲୀ,୧୧।୯: ଫ୍ରାନ୍ସରେ ଜାରି ରାଜେନୖତିକ ଗତିରୋଧ ଭିତରେ ମସଜିଦ୍ ବାହାରେ ମିଳିଛି ଘୁଷୁରୀର କଟାମୁଣ୍ଡ। ଏହି ଘଟଣା ପରେ ଆରମ୍ଭ ହୋଇଛି ଆହୁରି ବିବାଦ। ମଙ୍ଗଳବାର ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଓ ଆଖପାଖରେ ଥିବା ୯ଟି ମସଜିଦ ବାହାରେ ଘୁଷୁରୀଙ୍କ କଟା ମୁଣ୍ଡ ମିଳିଥିଲା। ଏଥିରେ ୫ଟିରେ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ରାନୁଏଲ୍ ମାକ୍ରନ୍ଙ୍କ ନାଁ ଲେଖା ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଏହି ସ୍ପଷ୍ଟ ହୋଇପାରିନି ଯେ, ଘଟଣା ପଛରେ କାହାର ହାତ ରହିଛି।
‘ଦ ହିନ୍ଦୁ’ର ରିପୋର୍ଟ ଅନୁସାରେ, ଫ୍ରାନ୍ସ ଅଧିକାରୀ କହିଛନ୍ତି ଚାରୋଟି ଘୁଷୁରୀଙ୍କ ମୁଣ୍ଡ ପ୍ୟାରିସର ମସଜିଦ୍ ବାହାରେ ମିଳିଛି। ସେଭଳି ବାକି ପ୍ୟାରିସ ବାହାରର ମସଜିଦ୍ ଆଗରେ ଦେଖିବାକୁ ମିଳିଛି। ଫ୍ରାନ୍ସ ଅଧିକାରୀ ଦେଶରେ ଥିବା ମୁସଲମାନଙ୍କ ପୁରା ସୁରକ୍ଷା ଦେବାର ଆଶ୍ବାସନା ଦେଇଛି। ଫ୍ରାନ୍ସରେ ବର୍ତ୍ତମାନ ମୁସଲିମ ବିରୋଧି ସ୍ଥିତି ରହିଛି। ଇସଲାମରେ ଘୁଷୁରୀ ମାଂସ ଖାଇବା ବର୍ଜିତ। ଏଭଳି ସ୍ଥିତିରେ ମସଜିଦ ବାହାରେ ଘୁଷୁରୀର କଟାମୁଣ୍ଡ ମିଳିବା ପରେ ସୃଷ୍ଟି ହୋଇଛି ଉତ୍ତେଜନା।ଦେଶରେ ମୁସଲିମ୍ଙ୍କ ଜନସଂଖ୍ୟା ଅଧିକ ଥିବା ବେଳେ ତାହା ୬୦ ଲକ୍ଷ ରହିଛି।
ଫ୍ରାନ୍ସର ଗୃହମନ୍ତ୍ରୀ ବ୍ରୁନୋ ରେଟେଲେଉ କହିଛନ୍ତି, ମୁଁ ଚାହୁଁଛି ଯେ, ଆମର ମୁସଲମାନ ଦେଶବାସୀ ଶାନ୍ତିର ସହ ନିଜର ଧର୍ମ ପାଳନ କରନ୍ତୁ। ମୁଁ ଜାଣୁଛି, ତାଙ୍କୁ ଦୁଃଖ ଲାଗିପାରେ। ଘଟଣାପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଛି। କାରଣ ବର୍ତ୍ତମାନ ଦେଶ ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଆମେ ବିଗତ ଘଟଣାବଳୀକୁ ଅଣଦେଖା କରିପାରିବାନି। ପ୍ୟାରିସର ଅଧିକାରୀମାନେ କହିଛନ୍ତି, ମାମଲାର ଯାଞ୍ଚ ଚାଲିଛି। ଦେଶରେ ଘୃଣା ସୃଷ୍ଟି କରି ଭାଙ୍ଗିବାକୁ ଏଭଳି କରାଯାଇଥିବାର ସନ୍ଦେହ କରାଯାଉଛି।