ପ୍ୟାରିସ୍‌, ୨୭/୦୫: ଚଳିତ ଫ୍ରେଞ୍ଚ ଓପନ  ଗ୍ରାଣ୍ଡସ୍ଲାମ୍‌ର ଦ୍ୱିତୀୟ ଦିବସରେ ଛୋଟ ମୋଟ ବିପର୍ଯ୍ୟୟ  ଘଟିଥିଲେ ହେଁ ତାରକା ଖେଳାଳିମାନେ ବିଜୟ ସହ  ଅଭିଯାନ ଆରମ୍ଭ କରିଛନ୍ତି । ଦୁଇ ସିଙ୍ଗଲ୍ସ ଡିଫେଣ୍ଡିଂ ଚାମ୍ପିଅନ୍‌ ଇଗା ସ୍ୱିଟେକ ଓ କାର୍ଲୋସ ଅଲକାରାଜ  ସିଧା ସଳଖ ବିଜୟ ହାସଲ କରିଥିବାବେଳେ ପୂର୍ବତନ  ଚାମ୍ପିଅନ୍‌ ଷ୍ଟାନିସ୍ଲାସ ୱାରିଙ୍କା, ଚତୁର୍ଥ ସିଡ୍‌ ଟେଲର  ଫ୍ରିଜ, ମହିଳା ନବମ ସିଡ୍‌ ଏମା  ନାଭାରୋ, ନାଓମି ଓସାକା ପ୍ରମୁଖ  ପରାଜିତ ହୋଇ ବିଦାୟ ନେଇଛନ୍ତି । 

ମହିଳା ସିଙ୍ଗଲ୍ସ ପ୍ରଥମ  ରାଉଣ୍ଡ୍‌ରେ ପଞ୍ଚମ ସିଡ୍‌ ସ୍ୱିଟେକ୍‌  ୬-୩, ୬-୪ ସେଟ୍‌ରେ ରେବେକା  ସ୍ରମକୋଭାଙ୍କୁ ହରାଇଥିଲେ । ଏହି  ମ୍ୟାଚ ଜିତିବା ପାଇଁ  ସ୍ୱିଟେକଙ୍କୁ ୧ଘଣ୍ଟା  ୨୪ମିନିଟ୍‌ ଲାଗିଥିଲା ।  ସେହିପରି ଦଶମ ସିଡ୍‌  ବଡ଼ୋଶା ଏକ ସଂଘର୍ଷପୂର୍ଣ୍ଣ  ମ୍ୟାଚ୍‌ରେ ଓସାକାଙ୍କୁ ୬-୭(୧- ୭), ୬-୧, ୬-୪ ସେଟ୍‌ରେ  ହରାଇଥିଲେ । ଦ୍ୱାଦଶ ସିଡ୍‌ ଏଲିନା  ରିବାକିନାଙ୍କୁ ମଧ୍ୟ ପ୍ରଥମ ରାଉଣ୍ଡ୍‌ରେ  ସଂଘର୍ଷ କରିବାକୁ ପଡ଼ିଥିଲା । ସେ  ୬-୧, ୪-୬, ୬-୪ ସେଟ୍‌ରେ  ଜୁଲିଆ ରିଏରାଙ୍କୁ ହରାଇଥିଲେ । 

ନାଭାରୋ ୦-୬, ୧-୬ ସେଟ୍‌ରେ ଜେସିକା  ବୌଜାସ ମାନେରୋଙ୍କ ଠାରୁ ପରଜିତ ହୋଇ  ବିଦାୟ ନେଇଥିଲେ । ଏମା ରାଡୁକାନୁ ୭-୫, ୪-୬,  ୬-୩ ସେଟ୍‌ରେ ଜିନୟୁ ୱାଙ୍ଗଙ୍କୁ, ଡାନିଏଲା କଲିନ୍ସ  ୭-୬(୭-୧), ୬-୪ ସେଟ୍‌ରେ ଜୋଡ଼ି ବ୍ୟୁରେଜଙ୍କୁ  ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ  ପ୍ରବେଶ କରିଥିଲେ । 

ପୁରୁଷ ସିଙ୍ଗଲ୍ସ ପ୍ରଥମ  ରାଉଣ୍ଡ୍‌ରେ ଦ୍ୱିତୀୟ ସିଡ୍‌  ଅଲ୍‌କାରାଜ ୬-୩, ୬-୪,  ୬-୨ ସେଟ୍‌ରେ ଗ୍ୟୁଲିଓ  ଜାପେରିଙ୍କୁ ପରାସ୍ତ କରିଥିଲେ।  ସପ୍ତମ ସିଡ୍‌ କାସ୍ପର ରୁଡ୍‌  ୬-୩, ୬-୪, ୬-୨ ସେଟ୍‌ରେ  ଆଲବର୍ଟ ରାମୋସ-ଭିନୋଲାସଙ୍କୁ  ପରାସ୍ତ କରିଥିବାବେଳେ  ଫ୍ରିଜ ୫-୭, ୬-୩, ୩-୬,  ୧-୬ ସେଟ୍‌ରେ ଡାନିଏଲ  ଅଲ୍ଟମେରଙ୍କ ଠାରୁ ପରାଜିତ  ହୋଇ ବିଦାୟ ନେଇଥିଲେ ।  

ଦଶମ ସିଡ୍‌ ହୋଲଗର ରୁନେ  ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ  ୬-୭(୪-୭), ୬-୪, ୬-୩,  ୬-୨ ସେଟ୍‌ରେ ରୋବେର୍ଟୋ ବୌତିସ୍ତା ଅଗୁଟଙ୍କୁ  ପରାସ୍ତ କରିଥିବାବେଳେ ଷ୍ଟିଫାନସ ସିସିପାସ୍‌  ୭-୫, ୬-୩, ୬-୪ ସେଟ୍‌ରେ ଥୋମାସ  ଏଚେଭେରୀଙ୍କୁ ହରାଇଥିଲେ । ଭେଟେରାନ  ୱାରିଙ୍କା ୬-୭(୬-୮), ୩-୬, ୨-୬ ସେଟ୍‌ରେ  ଜାକବ ଫିୟର୍ଣ୍ଣଲିଙ୍କ ଠାରୁ ପରାଜିତ ହୋଇଥିଲେ ।