ଭୁବନେଶ୍ୱର ୨୩/୦୬: ବର୍ଷା ଆସିଲେ ଥଣ୍ଡା ପବନ ସହ ସବୁଜିମାରେ ଭରି ଯାଏ ଧରାପୃଷ୍ଠ । ଗରମ ପରେ ହଠାତ୍ ଥଣ୍ଡା ଆସିବା ସହ ଅନେକ ସମସ୍ୟା ମଧ୍ୟ ନେଇ ଆସିଥାଏ, ଯାହା ସାଧାରଣରେ ଖୁବ୍ ଚ୍ୟାଲେଞ୍ଜିଂ ହୋଇପଡେ । ଏସବୁ ଭିତରେ ରହିଥାଏ ଫଙ୍ଗାଲ୍ ସଂକ୍ରମଣଜନିତ ସମସ୍ୟା । ବର୍ଷା ଋତୁରେ ସଂକ୍ରମଣ ସମସ୍ୟା ବଢିଯାଇଥାଏ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ସହ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଫାସୁତରା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ । ତେବେ ଏ ପ୍ରଶ୍ନ ମନରେ ନିଶ୍ଚୟ ଆସେ ଯେ ବର୍ଷାଦିନେ ଫଙ୍ଗାଲ ସଂକ୍ରମଣ କାହିଁକି ବଢିଥାଏ?
କାହିଁକି ବଢେ?
କ୍ଲିଭ୍ଲ୍ୟାଣ୍ଡ କ୍ଲିନିକ୍ ଅନୁସାରେ, ଫଙ୍ଗାଲ୍ ସଂକ୍ରମଣ ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ । ଯେପରିକି ପାଦର ଆଙ୍ଗୁଳିର ମଧ୍ୟ ଭାଗରେ, ବେକ, ପିଠି, କାଖତଳ ଓ ଜଙ୍ଘ ଆଖପାଖ ଆଦି । ଏହି ସମସ୍ୟା ବଢିବାର ମୁଖ୍ୟ କାରଣ ଆର୍ଦ୍ରତା ଓ ଝାଳ । ବର୍ଷାଦିନେ ଯେତେବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ବଢିଯାଏ, ଶରୀର ଶୀଘ୍ର ଝାଳକୁ ଶୁଖାଇ ପାରେନା । ଫଳରେ ଫଙ୍ଗାଲ ସଂକ୍ରମଣ ତୀବ୍ର ବେଗରେ ବଢିଥାଏ । ଏହି ସମୟରେ ପିନ୍ଧିଥିବା ପୋଷାକ ଶୀଘ୍ର ଶୁଖିପାରେନା । ଯଦି ଶରୀରରେ ଅଧିକ ସମୟ ଯାଏ ଓଦା ପୋଷାକ ରହେ, ତେବେ ବ୍ୟାକ୍ଟେରିଆ ଶରୀରର ସେହି ଭାଗରେ ସହଜରେ ବ୍ୟାପିଥାନ୍ତି । କାରଣ ଏହି ଋତୁ ହିଁ ଫଙ୍ଗାଲ ସଂକ୍ରମଣ ପାଇଁ ବେଶ୍ ପ୍ରକୃଷ୍ଠ ସମୟ ।
କ'ଣ ରହିଛି ଲକ୍ଷଣ?
ବିଶେଷକରି ଝାଳ ବାହାରୁଥିବା ସ୍ଥାନ ବାରମ୍ବାର କୁଣ୍ଡାଇ ହେବା, ତ୍ୱଚା ଫାଟିବା ବା କଟିଯିବା, କେବେ କେବେ ଗନ୍ଧ ହେବା, ଜ୍ୱଳନର ଅନୁଭବ, ସମୟରେ ଚିକିତ୍ସା କରା ନଗଲେ ସଂକ୍ରମଣ ମାଡି ଚାଲେ ।
ସଂକ୍ରମଣର ରକ୍ଷା ପାଇବେ :
ସଂକ୍ରମଣରୁ ରକ୍ଷା ପାଇବା ପାଇଁ ତ୍ୱଚାକୁ ଶୁଖିଲା ଓ ସଫା ରଖିବା, ସ୍ନାନ କରିବା ପରେ କାଖତଳ, ବେକ, ପାଦ ଆଙ୍ଗୁଳିର ମଧ୍ୟଭାଗକୁ ଭଲଭାବେ ପୋଛିବା, ତ୍ୱଚା ଓଦାଳିଆ ରହିବା ଦ୍ୱାରା ସଂକ୍ରମଣ ବଢିଥାଏ, ତେବେ ତ୍ୱଚାର ଶୁଷ୍କତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ସେହିପରି ଢିଲା ଓ ସୂତା ପୋଷାକକୁ ଗୁରୁତ୍ୱ ଦେବା ଜରୁରି । କାରଣ ସିନ୍ଥେଟିକ୍ ପୋଷାକ ଝାଳ ଶୁଖାଇ ନଥାଏ । ଓଦା ପୋଷାକ ଓ ଜୋତା ତୁରନ୍ତ ବଦଳାନ୍ତୁ । ସଂକ୍ରମଣ ବିଶେଷକରି ଆଥ୍ଲେଟ୍ ଫୁଟ୍ ହେବାର ଆଶଙ୍କା ବଢିଥାଏ । ଏଥିପାଇଁ ଆଣ୍ଟି-ଫଙ୍ଗାଲ୍ ପାଉଡର ବା କ୍ରିମ୍ ବ୍ୟବହାର କରିପାରିବେ ।