ପୁରୀ ୪/୯ : ଗୁରୁବାର ପବିତ୍ର ଉତ୍କଳୀୟ (ରାଜକୀୟ) ନବ ବର୍ଷ । ଶ୍ରୀ ବାମନ ଜନ୍ମ ,ସୁନିଆଁ। ଉତ୍କଳୀୟ ୧୪୩୩ ସାଲ ଆରମ୍ଭ ତଥା ଶ୍ରୀ ଶ୍ରୀ ଶ୍ରୀ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣୋଟତ୍କଳ କଳବର୍ଗେଶ୍ଵର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର ମହାପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କର ୬୯ ଅଙ୍କ ଆରମ୍ଭ ଅବସରରେ ସମସ୍ତଙ୍କୁ ସାଦର ଅଭିନନ୍ଦନ ଜଣାଇବା ସହିତ ପ୍ରିତିଭରା ଶୁଭେଚ୍ଛା । ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ ।
ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆଁ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆଁକୁ ଉତ୍କଳୀୟ ଗଜପତିଙ୍କ ନବବର୍ଷ ବୋଲି ଧରାଯାଏ । ଓଡ଼ିଆଙ୍କ ପାଇଁ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆଁ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ ।ସୁନିଆଁ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶୀର୍ବାଦ କରିଥାନ୍ତି ।କରଣ ସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ ।ସୁନିଆଁ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ରହିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆଁ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ପୁରାତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ ।