ମୁମ୍ବାଇ ୦୭/୦୨: ମନୋଜ ବାଜପେୟୀଙ୍କ ଅପ୍କମିଙ୍ଗ ଫିଲ୍ମ ‘ଘୁସ୍ଖୋର ପଣ୍ଡତ୍’କୁ ନେଇ ବିବାଦ । ଉତ୍ତରପ୍ରଦେଶରେ ଫିଲ୍ମକୁ ନେଇ ବିରୋଧ ଆରମ୍ଭ ହୋଇଛି । ଲକ୍ଷ୍ନୌରେ ଫିଲ୍ମର ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ହଜରତଗଞ୍ଜର କୋତୱାଲିରେ ଇନ୍ସପେକ୍ଟର ବିକ୍ରମ ସିଂହ ନିଜେ ମାମଲା ରୁଜୁ କରାଇଛନ୍ତି ।
ପୁଲିସ ଅନୁସାରେ, ଫିଲ୍ମର ଟାଇଟଲ୍ ଓ କାହାଣୀ ଏକ ନିର୍ଦ୍ଦିଷ୍ଟ ଜାତି ଓ ସମୁଦାୟ, ଖାସ୍କରି ବ୍ରାହ୍ମଣ ସମାଜକୁ ଭୁଲ ଢଙ୍ଗରେ ପ୍ରଦର୍ଶନ କରିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇପାରେ ଏବଂ ନ୍ୟାୟ ବ୍ୟବସ୍ଥା ବିଗିଡ଼ିପାରେ । ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ସିଂହ କହିଛନ୍ତି, ଏହି ପ୍ରସଙ୍ଗକୁ ନେଇ ଭାରତ ସରକାର ଫିଲ୍ମର ଶୀର୍ଷକକୁ ହଟାଇବାକୁ ଅନୁରୋଧ କରିଥିଲେ । ଏହାକୁ ମାନି ଓଟିଟି ପ୍ଲାଟ୍ଫର୍ମରେ ଟାଇଟଲ୍କୁ ହଟାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । ମାୟାବତୀ ଏହାକୁ ବ୍ରାହ୍ମଣ ସମାଜର ଅପମାନ କହିଛନ୍ତି ଏବଂ ଫିଲ୍ମ ବ୍ୟାନ୍ ପାଇଁ ଦାବି କରିଛନ୍ତି ।
ଆହୁରି ପଢ଼ନ୍ତୁ...କିଏ ଇନ୍ସପେକ୍ଟର ବିଜୟ ସିଂହ ? ୱେବ୍ ସିରିଜ୍ 'ଘୁସଖୋର ପଣ୍ଡତ' ବିରୋଧରେ କରିଛନ୍ତି ମାମଲା
ଅନ୍ୟପକ୍ଷେ, ୟୁପି କଂଗ୍ରେସ ପ୍ରବକ୍ତା କହିଛନ୍ତି, ଘୁସ୍ଖୋର ବ୍ରାହ୍ମଣ ନୁହେଁ, ବିଜେପି ସରକାର । ପ୍ରୟାଗରାଜର ସନ୍ଥ ସମାଜ ମଧ୍ୟ ଫିଲ୍ମକୁ ନେଇ ଆପତ୍ତି ଉଠାଇଛନ୍ତି । ଅଖିଳ ଭାରତୀୟ ଦଣ୍ଡୀ ସନ୍ନ୍ୟାସୀ ପରିଷଦର ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମାଶ୍ରମ ମହାରାଜ କହିଛନ୍ତି, ‘ଘୁସ୍ଖୋର ପଣ୍ଡତ୍’ ଭଳି ଫିଲ୍ମ ସନାତନ ପରମ୍ପରା ଓ ଭାଇଚାରାକୁ କ୍ଷତି ପହଞ୍ଚାଏ । ତେଣୁ ଫିଲ୍ମକୁ ତୁରନ୍ତ ବ୍ୟାନ୍ କରାଯାଉ । ଇତିମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ନୀରଜ ପାଣ୍ଡେ ଏକ ଔପଚାରିକ ବୟାନ ଜାରି କରି କହିଛନ୍ତି, ଫିଲ୍ମର ଟାଇଟଲ୍ରୁ କିଛି ଦର୍ଶକଙ୍କ ଭାବନା ଆହତ ହୋଇଛି । ଆମେ ଏହାକୁ ବୁଝିପାରୁଛୁ । ସେଥିପାଇଁ ଆମେ ଫିଲ୍ମର ଟିଜର୍ ଓ ଏଥିସହ ଜଡ଼ିତ ସମସ୍ତ ପ୍ରମୋସ୍ନାଲ ବିଷୟବସ୍ତୁକୁ ନେଟ୍ଫ୍ଲିକ୍ସ ଇଣ୍ଡିଆର ସୋସିଆଲ ମିଡିଆ ଆକାଉଣ୍ଟ୍ ଓ ୟୁଟ୍ୟୁବ୍ରୁ ହଟାଇବାକୁ ନିଷ୍ପତ୍ତି ନେଉଛୁ । ‘ଘୁସ୍ଖୋର ପଣ୍ଡତ୍’ରେ ମନୋଜଙ୍କ ସମେତ ନୁସରତ ଭରୁଚା ଓ ଶ୍ରଦ୍ଧା ଦାସ ପ୍ରମୁଖ ଭୂମିକାରେ ଅଛନ୍ତି ।