ନୂଆଦିଲ୍ଲୀ,୨୭/୦୭: ପାରା ଶକ୍ତିଉତ୍ତୋଳନରେ ଝଣ୍ଡୁ କୁମାରଙ୍କ ପରେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଦ୍ୱିତୀୟ ପଦକ ଜିତିଛନ୍ତି ରିଷିକାନ୍ତ ସିଂ । ପୁରୁଷ ଭାରୋତ୍ତାଳନରେ ସେ ୬୦ କିଲୋ ଓଜନ ବର୍ଗରେ ରୌପ୍ୟ ପଦକ ପାଇଛନ୍ତି । ରିଷିକାନ୍ତଙ୍କ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ । ଦିନ ମଜୁରିଆରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବାର ଗୌରବ ଲାଭ କରିଛନ୍ତି । ୬୦ କିଲୋ ଓଜନ ବର୍ଗରେ ମହମ୍ମଦ ଆନିକ ବିନ କାସଦାନ ସ୍ୱର୍ଣ୍ଣ ଜିତିଥିଲେ । ସେ ୧୨୧ କିଲୋ ଏବଂ କ୍ଲିନ ଏଣ୍ଡ ଜର୍କରେ ୧୫୨ କିଲୋ ଉତ୍ତୋଳନ କରିଥିଲେ । ମୋଟରେ (୨୭୩ କିଲୋ) ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ସ୍ଥାପନ କରିବାରେ ସଫଳ ହୋଇଥିଲେ । ରିଷିକାନ୍ତ ସ୍ନାଚରେ ୧୨୧ କିଲୋ ଉତ୍ତୋଳନ କରି କ୍ରୀଡ଼ା ରେକର୍ଡ କରିଥିଲେ । କିନ୍ତୁ କ୍ଲିନ ଏଣ୍ଡ ଜର୍କରେ ୧୪୩ କିଲୋ ସହ ମୋଟ୍ ୨୫୪ କିଲୋ ଉତ୍ତୋଳନ କରି ରୌପ୍ୟ ପଦକ ପାଇଥିଲେ । କେନିଆର ଯଶୁଆ ଅମୁନଗା (୧୧୫+୧୪୫) ୨୬୦ କିଲୋ ସହ ବ୍ରୋଞ୍ଜ ପଦକ ଜିତିଥିଲେ ।
ସଂଘର୍ଷପୂର୍ଣ୍ଣ ଯାତ୍ରା... ମଣିପୁରର ପଶ୍ଚିମ ଇମ୍ଫାଲରେ ରିଷିକାନ୍ତଙ୍କ ଜନ୍ମ । ଅଭାବ ଅନଟନ ମଧ୍ୟରେ ସେ ବଢ଼ିଛନ୍ତି । ବାପା ଭଡ଼ାରେ କାର ଚଳାଉଥିଲେ । ପିଲା ଦିନରୁ କ୍ରୀଡ଼ା ବିଷୟରେ ତାଙ୍କର କୌଣସି ବିଶେଷ ଧାରଣା ନଥିଲା । ସେ ସାଥୀ ପିଲାଙ୍କ ସହ ଫୁଟବଲ ଖେଳୁଥିଲେ । ସେ କହିଛନ୍ତି, ‘ ମୋତେ ୧୨ ବର୍ଷ ବୟସ ହୋଇଥାଏ । ହୋଲି ସମୟରେ ଆମ ଗାଁରେ ଏକ କ୍ରୀଡ଼ା ଉତ୍ସବର ଆୟୋଜନ ହୋଇଥିଲା । ସେହି ଉତ୍ସବରେ ଜଣେ ସାର (କ୍ରୀଡ଼ା ଶିକ୍ଷକ) ଆସିଥିଲେ । ସେ ମୋତେ କହିଲେ, ତମେ ଖେଳିବ? ଯଦି ଖେଳିବ ତୁମକୁ ସାହାଯ୍ୟ କରିବି । ଇମ୍ଫାଲରେ ଥିବା ସାଇ କେନ୍ଦ୍ରରେ ତୁମର ଖେଳିବାର ସୁବିଧା କରାଇ ଦେବି । ରାଜି ହୋଇଗଲି । ତହିଁ ପରଦିନ ସେଠାକୁ ଗଲି ଏବଂ ସାର୍ଙ୍କୁ ଦେଖା କଲି । ମୋତେ ତ କିଛି ଜଣା ନଥିଲା । ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବକ୍ସିଂ, ଫୁଟବଲ ଓ ଭାରୋତ୍ତୋଳନ ପ୍ରଭୃତିରେ ଅଭ୍ୟାସ କଲି ।’
‘ମୋ ଘରଠୁ ସାଇ କେନ୍ଦ୍ର ୪୦ କିଲୋ ମିଟର ଦୂର । ସାଇକେଲରେ ଯିବା ଆସିବା କରୁଥିଲି । ସାଇ କେନ୍ଦ୍ରରେ ଖେଳିବାର ସୁଯୋଗ ମିଳୁଥିବାରୁ ମୋତେ ଭଲ ଲାଗୁଥିଲା । ସେଠାରେ ମୋତେ ଖାଇବାକୁ ବି ମିଳୁଥିଲା । ଘରେ ଘୋର ଅଭାବ ଲାଗି ରହିଥିବାରୁ ମୋ ବାପା ମୋତେ କ୍ରୀଡ଼ା ଉପଯୋଗୀ ଖାଦ୍ୟ ଯୋଗାଇ ଦେବା ସମ୍ଭବ ନଥିଲା ବୋଲି ସେ କହିଛନ୍ତି । ଧୀରେ ଧୀରେ ରିଷିକାନ୍ତ ଭାରୋତ୍ତୋଳନକୁ ଆଦରି ନେଲେ । ଜୁନିୟର ଜାତୀୟ ପ୍ରତିଯୋଗିତାରେ ଭାଗ ନେଲେ । ୨୦୧୬ରେ ସେ ପ୍ରଥମ ଜାତୀୟ ଜୁନିୟର ଟାଇଟଲ ଜିତିଲେ । ସେହିବର୍ଷ ମାଲେସିଆରେ ଆୟୋଜିତ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପ୍ରେ ପ୍ରଥମ ଅନ୍ତର୍ଜାତୀୟ ପଦକ (ବ୍ରୋଞ୍ଜ) ଜିତିବାର ଗୌରବ ଲାଭ କଲେ ।
ଏହା ବି ପଢନ୍ତୁ...CWG 2026 : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୀରାବାଈ ଚାନୁଙ୍କ ରେକର୍ଡ : ଲଗାତାର ତୃତୀୟ ଥର ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ
କ୍ରୀଡ଼ା ଛାଡ଼ିକାବୁ ନିଷ୍ପତ୍ତି ନେଇଥିଲେ...ଇମ୍ଫାଲ ସାଇ କେନ୍ଦ୍ରରେ କେବଳ ଜୁନିୟର ପିଲାଙ୍କ ପାଇଁ ବ୍ୟବସ୍ଥା ରହିଛି । ତେଣୁ ରିଷିକାନ୍ତ ସେଠାରେ ଅଧିକ ଦିନ ପ୍ରଶିକ୍ଷଣର ସୁଯୋଗ ପାଇଲେ ନାହିଁ । ଏହା ଜାଣିବା ପରେ ସେ କ’ଣ କରିବେ ଠିକ କରିପାରିନ ନଥିଲେ । ଖେଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ନିଜର ପ୍ରଶିକ୍ଷଣ ପାଇଁ ସେ ସାଇ କେନ୍ଦ୍ର ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିଲେ । ଶେଷରେ ନିଷ୍ପତ୍ତି ନେଲେ ଖେଳ ଛାଡ଼ିଦେବେ । ନିଜର ସାନ ଭାଇର ପଢ଼ା ପଢ଼ି ପାଇଁ ରୋଜଗାର କରିବେ । ଏହାପରେ ରିଷିକେଶ ଦିନ ମଜୁରିଆ ଭାବେ କାର୍ଯ୍ୟ କଲେ । ବିଭିନ୍ନ କାର୍ଯ୍ୟ କରି ରୋଜଗାର କରିବା ଆରମ୍ଭ କଲେ । ଦୈନିକ ସେ ୧୫୦ରୁ ୨୦୦ ଟଙ୍କା ରୋଜଗାର କରୁଥିଲେ ।
ସେ କହିଥିଲେ, ‘ସବୁ ଦିନ ଭଳି ସେଦିନ ବି କାମକୁ ଯାଇଥାଏ । ହଠାତ ମୋ ଫୋନ ବାଜି ଉଠିଲା । ଏହି ଫୋନ କଲ ହିଁ ମୋ ଜୀବନ ବଦଳାଇ ଦେଲା । ମଣିପୁର ଭାରୋତ୍ତୋଳନ ସଂଘର ସମ୍ପାଦକ ସୁନୀଲ ଏଲାଙ୍ଗବାମଙ୍କ କଲ୍ ଥିଲା । ସେ ମୋତେ କହିଲେ, ‘ତମ ଟ୍ରେନିଂ କେମିତି ଚାଲିଛି? ମୁଁ କହିଲି, ସାର, ଖେଳ ଛାଡ଼ି ଦେଇଛି । ମୂଲ ଲାଗି ରୋଜଗାର କରୁଛି, ଘରକୁ ସାହାଯ୍ୟ କରୁଛି । ସେ ମୋର ସବୁ କଥା ଶୁଣିଲେ ଓ କହିଲେ, ଯଦି ତମେ ପୁଣି ଥରେ ଅଭ୍ୟାସ କରିବାକୁ ଚାହିଁବ ତେବେ ବ୍ୟବସ୍ଥା କରିଦେବି । ମୁଁ କହିଲି ହଁ ।’ ‘ଗୋଟିଏ ଦିନ ପରେ ଇମ୍ଫାଲର ତାକୟେଲରେ ନବନିର୍ମିତ ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ରରେ ମୋର ପ୍ରଶିକ୍ଷଣ ଆରମ୍ଭ ହେଲା । ତା ପରେ ଆଉ ପଛକୁ ଫେରିନି ବୋଲି ରିଷିକାନ୍ତ କହିଛନ୍ତି ।