ନୂଆଦିଲ୍ଲୀ,୨୬/୦୭:  ସାଧାରଣତଃ ଲୋକେ ଯାତ୍ରା କରିବା ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଗୁଗଲ୍‌ ମ୍ୟାପ୍‌ର ସାହାଯ୍ୟ ନେଇଥାଆନ୍ତି । ତେବେ ଏହା ମଧ୍ୟ ଶୁଣିଥିବେ, ଗୁଗଲ୍‌ ମ୍ୟାପ୍‌ କିମ୍ବା ଜିପିଏସ୍‌ ଭୁଲ୍‌ ରାସ୍ତା ଦେଖାଇଥାଏ । ମାତ୍ର ନିକଟରେ ଗୁଗଲ୍‌ ମ୍ୟାପ୍‌ କାରଣରୁ ଏଭଳି ଅଘଟଣ ଘଟିଥିବା ନେଇ ସାମ୍ନାକୁ ଆସିଛି । କେରଳର କୋଟ୍ଟାୟମରେ ଜଣେ ବୟସ୍କ ଦମ୍ପତିଙ୍କ କାର୍‌ ନାଳରେ ପଡ଼ିଗଲା। ଭାଗ୍ୟବଶତଃ ଅଳ୍ପକେ ଉଭୟଙ୍କ ଜୀବନ ରକ୍ଷା ହୋଇଯାଇଛି । 

ତେବେ ୬୨ ବର୍ଷୀୟ ଜୋସୀ ଜୋସେଫ ଓ ତାଙ୍କ ପତ୍ନୀ ୫୮ ବର୍ଷୀୟା ଶୀବା ମନ୍‌ଭେଟ୍ଟମ୍‌ ସ୍ଥିତ ଜୋସୀଙ୍କ ବନ୍ଧୁଙ୍କ ଘରକୁ ଯାଉଥିଲେ । ଜିପିଏସ୍‌ର ମାର୍ଗଦର୍ଶନରେ ସେମାନେ କାର୍‌ରେ ଯାତ୍ରା କରୁଥିଲେ । କିନ୍ତୁ ଗୁଗଲ୍‌ର ଭୁଲ ମାର୍ଗଦର୍ଶନ ଯୋଗୁ ଗାଡ଼ି ରାସ୍ତାରୁ ଖସି ନାଳରେ ପଡ଼ିଗଲା । ପାଣିରେ ରାସ୍ତା ବୁଡ଼ି ରହିଥିବାରୁ ରାସ୍ତା ସ୍ପଷ୍ଟ ଦିଶୁନଥିଲା । ଫଳରେ କାର୍‌ ଗଭୀର ନାଳକୁ ଖସିପଡ଼ିଲା । ଠିକ୍‌ ସମୟରେ ଚାଳକ କୌଣସି ମତେ ଗାଡ଼ି ଅଟକାଇବାରୁ ସେମାନେ ବଡ଼ ଧରଣର ବିପଦରୁ ବଞ୍ଚିଗଲେ । ଘଟଣା ବିଷୟରେ ଜୋସୀ କହିଛନ୍ତି, ଆଗକୁ ଯାତ୍ରା କରିବାବେଳେ ଗାଡ଼ି ଭିତରେ ପାଣି ପଶିବାକୁ ଲାଗିଲା । ଉଭୟ ତୁରନ୍ତ ଡୋର୍‌ ଖୋଲି କାର୍‌ ଭାସିବା ପୂର୍ବରୁ ସେଥିରୁ ବାହାରି ଆସିଲେ । ଆଉ ଦେଢ଼ ଫୁଟ ଆଗକୁ ଯାଇଥିଲେ, ନାଳର ତୀବ୍ର ସ୍ରୋତରେ ସେମାନେ ଭାସିଯାଇଥାନ୍ତେ ବୋଲି ଜୋସୀ କହିଛନ୍ତି । ସ୍ଥାନୀୟ ଲୋକ ଓ ନିକଟସ୍ଥ କାଠ ମିଲ୍‌ର ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କଲେ । ନାଳ ପାଖରେ ଏକାଧିକ ସତର୍କ ସୂଚନା ବୋର୍ଡ ଲାଗିଛି । କିନ୍ତୁ ଅନେକ ଚାଳକ ସେଗୁଡ଼ିକୁ ଅଣଦେଖା କରି କେବଳ ଜିପିଏସ୍‌ର ମାର୍ଗଦର୍ଶନ ଉପରେ ନିର୍ଭର କରୁଛନ୍ତି । ଫଳରେ ଉକ୍ତ ଅଞ୍ଚଳରେ ଅନେକ ଦୁର୍ଘଟଣା ଘଟୁଛି ।