ମୁମ୍ବାଇ,୧୨/୧୧; ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ଅଚାନକ ବିଗିଡ଼ିବାରୁ ସେ ମଙ୍ଗଳବାର ରାତିରେ ଘରେ ଚେତାଶୂନ୍ୟ ହୋଇଯାଇଥିଲେ । ତାଙ୍କୁ ମୁମ୍ବାଇ ସ୍ଥିତ କ୍ରିଟି କେୟାର ଏସିଆ ମଲ୍ଟିସ୍ପେସାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ବନ୍ଧୁ ଲଳିତ ବିନ୍ଦଲ ଗାଣମାଧ୍ୟମକୁ ତାଙ୍କ ଅସୁସ୍ଥତା ବାବଦରେ ସୂଚନା ଦେଇଛନ୍ତି । ଦିନକ ପୂର୍ବରୁ ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିନେତା ଧର୍ମେନ୍ଦ୍ରଙ୍କୁ ଭେଟିଥିଲେ ଗୋବିନ୍ଦା । ବର୍ତ୍ତମାନ ସେ ଡାକ୍ତରୀ ଟିମ୍ ନୀରିକ୍ଷଣରେ ରହିଛନ୍ତି । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ସୂଚନା ରହିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୋବିନ୍ଦାଙ୍କ ଲୟର ଲଲିତ ବିନ୍ଦଲ କହିଛନ୍ତି, ''ଅଭିନେତା ଗୋବିନ୍ଦା ଅସୁସ୍ଥ ଅନୁଭବ କରିଥିଲେ । ଘରେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁ ପରୀକ୍ଷା କରାଯାଇଛି । ରିପୋର୍ଟ ଏବଂ ନ୍ୟୁରୋ ପରାମର୍ଶଦାତାଙ୍କୁ ଅପେକ୍ଷା କରିଛୁ । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି ।'' ଚଳିତ ବର୍ଷ ଦ୍ୱିତୀୟ ଥର ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୋବିନ୍ଦାଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଗୁଳି ବାଜିବାରୁ ସେ  ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଅଭିନେତା ତାଙ୍କ ରିଭଲଭର ସଫା କରି ଏକ ଆଲମାରୀରେ ରଖୁଥିଲେ, ସେତେବେଳେ ଏହା ତାଙ୍କ ହାତରୁ ଖସି ପଡ଼ିଥିଲା । ଗୁଳି  ତାଙ୍କ ଗୋଡରେ ବାଜିଥିଲା । ଗୋବିନ୍ଦଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କ ଗୋଡରୁ ଗୁଳି ବାହାର କରିବା ପାଇଁ ଅସ୍ତ୍ରୋପଚାର କରିଥିଲେ ।​​​​​​​ ୩ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଧର୍ମେନ୍ଦ୍ରଙ୍କୁ ଭେଟି ଆସିବାର ଗୋଟିଏ ଦିନ ପରେ ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ସେପଟେ ଧର୍ମେନ୍ଦ୍ର ଓ ପ୍ରେମ୍ ଚୋପ୍ରା ହସ୍ପିଟାଲରେ ଚିକିତ୍ସାଧୀନ । ଏବେ ପୁଣି ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ବଲିଉଡ଼, ସେମାନଙ୍କ ଫ୍ୟାନ୍ସଙ୍କ ପାଇଁ ଚିନ୍ତାଜନକ ବିଷୟ ହୋଇଛି ।