ଭୁବନେଶ୍ୱର,୧୭/୦୪: ଦିନକୁ ଦିନ ସାଇବର ଅପରାଧୀମାନେ ଅଧିକରୁ ଅଧିକ ସକ୍ରିୟ ହେଉଛନ୍ତି ।  ଲୋକମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ଆଖି ପିଛୁଳାକେ  ଉଡିଯାଉଛି । ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର ଓ  ଅର୍ଥନୀତିକ ଅପରାଧକୁ ନିୟନ୍ତ୍ରଣ କରିବା ନିମନ୍ତେ  ସାଇବର ଥାନା ବୃଦ୍ଧି ସହ ୯୮୭ଟି ନୂତନ ପଦବି ସୃଷ୍ଟିକୁ  ଅନୁମୋଦନ ମିଳିଛି । ଖାଲି ସେତିକି ନୁହେଁ ୧୭୦ଜଣ ବିଶେଷଜ୍ଞଙ୍କୁ  ଆଉଟସୋର୍ସିଂରେ  ନିଯୁକ୍ତି ଦେବାକୁ  ମଧ୍ୟ ସରକାର  ଅନୁମତି ଦେଇଛନ୍ତି ।  ବର୍ତ୍ତମାନ ରାଜ୍ୟରେ  ୧୪ଟି ସାଇବର ଥାନା ରହିଛି । ୧୬୮ଜଣ କର୍ମଚାରୀଙ୍କୁ  ନେଇ ଉକ୍ତ ସାଇବର ଥାନାଗୁଡ଼ିକ ଚାଲୁଛି । 

ଖୁବ୍‌ ଶୀଘ୍ର  ରାଜ୍ୟରେ ଆଉ ୨୦ଟି ସାଇବର ଥାନା ଖୋଲିବ । ଉକ୍ତ  ୨୦ଟି ଥାନା ପାଇଁ ୯୮୭ଟି ନୂତନ ପଦବି ସୃଷ୍ଟି ହୋଇଛି ।  ବିଭିନ୍ନ ପାହ୍ୟାର ୯୮୭ଟି ଅତିରିକ୍ତ ପଦବିକୁ ମଞ୍ଜୁରି  ଫଳରେ ମୋଟ୍‌ ଅନୁମୋଦିତ ପଦବି ସଂଖ୍ୟା ୧୧୨୭କୁ  ବୃଦ୍ଧି ପାଇଛି । ଏହା ବ୍ୟତୀତ ୧୭୦ଜଣ ବିଶେଷଜ୍ଞଙ୍କୁ ମଧ୍ୟ  ଆଉଟସୋର୍ସିଂରେ ନିଯୁକ୍ତି ଦେବାକୁ ସରକାର ଅନୁମତି  ଦେଇଛନ୍ତି । 

ଏଥିରେ ୬୮ଜଣ ଆଇଟି ବିଶେଷଜ୍ଞ,  ୪୮ଜଣ ସାଇବର ଫରେନ୍ସିକ ବିଶେଷଜ୍ଞ ଓ ୪୮ଟି  ଅର୍ଥନୀତିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ । ୨୦୨୧ରୁ  ଏହି କର୍ମଚାରୀ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବ ଗୃହ ବିଭାଗରେ  ପଡ଼ି ରହିଥିଲା । ସାଢ଼େ ୫ବର୍ଷ ପରେ ମୋହନ ମାଝୀଙ୍କ  ସରକାରଙ୍କ ଅନୁମୋଦନ ଲାଭ କରିଛି  ।