ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଇଣ୍ଡି ମେଣ୍ଟ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ନିର୍ବାଚନୀ ଇସ୍ତାହାରରେ ରାଜ୍ୟର ମହିଳାଙ୍କୁ ମୈୟା ସମ୍ମାନ ଯୋଜନାରେ ମାସକୁ ୨୫୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ମେଣ୍ଟ । ଏହା ସହିତ ସରକାରକୁ ଫେରିଲେ ରାଜ୍ୟରେ ୪୫୦ ଟଙ୍କାରେ ସିଲିଣ୍ଡର ଓ ସରନା ଧର୍ମ କୋଡ ଲାଗୁ କରିବ ବୋଲି ମେଣ୍ଟର ନେତା ଘୋଷଣା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିବା ବେଳେ ମଞ୍ଚରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ କଂଗ୍ରେସ, ଜେଏମଏମ, ଆରଜେଡି ଓ ସିପିଆଇ-ଏମର ନେତାମାନେ ଉପସ୍ଥିତ ଥିଲେ । ଏସବୁ ଦଳ ଦ୍ବାରା  ଯୁଗ୍ମ ଭାବେ ଜାରି ଇସ୍ତାହାରରେ ୭ ପ୍ରମୁଖ ପ୍ରତିଶ୍ରୁତି ଦିଆଯାଇଛି । 

 ଇଣ୍ଡି ମେଣ୍ଟର ନିର୍ବାଚନୀ ପ୍ରତିଶ୍ରୁତି

(୧) ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ।

 (୨) ୧୦ ଲକ୍ଷ ସରକାରୀ ଚାକିରି, ୧୫  ଲକ୍ଷର ସ୍ଵାସ୍ଥ୍ୟ ବୀମା ।

 (୩) ପ୍ରତି ମାସରେ ବ୍ୟକ୍ତି ପିଛା ୭ କିଲୋ ମାଗଣା ରାସନ, ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ।

 (୪) ଲାଗୁ ହେବ ସରନା ଧର୍ମ କୋଡ୍ । ସରନାର ଅର୍ଥ ପାହାଡ଼, ଜଙ୍ଗଲ ଓ ଗଛକୁ ପୂଜା କରୁଥିବା ଜାତି ।  

(୫) ସରକାରୀ ଚାକିରିରେ ଏସଟି ୨୮ ପ୍ରତିଶତ, ଏସସି ୧୨ ପ୍ରତିଶତ, ଓବିସି ଲାଗି ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା।

 (୬) ଧାନର ଏମଏସପି କ୍ଵିଣ୍ଟାଲ ପିଛା ୩୨୦୦ ଟଙ୍କାକୁ ବୃଦ୍ଧି ହେବ ।

(୭) ପ୍ରତି ଜିଲ୍ଲାରେ ଗୋଟିଏ ଇଞ୍ଜିନିୟରିଂ କଲେଜ୍, ମେଡିକାଲ୍ କଲେଜ ଓ ୟୁନିଭର୍ସିଟି ସ୍ଥାପନ ହେବ ।

 ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟ ନଭେମ୍ବ ୧୩ ଏବଂ ୨୦ରେ ଅନୁଷ୍ଠିତ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାପଳ ଘୋଷଣା ହେବ । ରାଜ୍ୟର ମୋଟ ୮୧ ବିଧାନସଭା ଆସନରୁ କଂଗ୍ରେସ ୩୦ଟି ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଏମଏମ ୪୦ ଓ ଆରଜେଡି ୭ ସିଟରେ ନିର୍ବାଚନ ଲଢୁଛି । ଅନ୍ୟ ୪ ଆସନରେ ଇଣ୍ଡି ମେଣ୍ଟର ଛୋଟ ସହଯୋଗୀ ଦଳ ନିର୍ବାଚନ ଲଢ଼ୁଛନ୍ତି ।