ପୁରୀ,୨୩।୫: ଜୁଲାଇ ୧୬ ରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଗୁଣ୍ଡିଚା ଘରକୁ ଆସିବେ ମହାପ୍ରଭୁ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ। ଗୁଣ୍ଡିଚା ଘରେ ଭକ୍ତଙ୍କ ଗହଣରେ ମହାପ୍ରଭୁ ଲୀଳା ଖେଳା କରିବାକୁ ଥିବାରୁ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ଗୁଣ୍ଡିଚା ଘରର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ।
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନିଆଯାଉଛି। ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଏବଂ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ର ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯାଉଛି। ତେବେ ଟୁଣିଆ ମହଲ, ବଲ୍ଲଭ ଘର ଏବଂ ରୋଷଶାଳାର କରାଯାଉଥିବା କାର୍ଯ୍ୟ ସନ୍ତୋଷଜନକ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଉତ୍ତର ପାର୍ଶ୍ଵ ଗୁମୁଟର ନବୀକରଣ କରାଯାଇଛି। ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ପ୍ରାଚୀରରେ ଖଣ୍ଡେ ଲାଇଟ୍ ପଥର ସ୍ଥାପନା କରାଯାଇଛି। ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ବୋଲି ଆଶା ରଖିଛନ୍ତି ମୁଖ୍ୟ ପ୍ରଶାସକ।
ଆହୁରି ପଢନ୍ତୁ : ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ