ରାଉରକେଲା, ୨୭/୦୮ (ସୁବ୍ରତ ଚୌଧୁରୀ): ହମିରପୁର ଠିକଣାରେ ଚିଠି ଆସିଲେ ଝାଇଁଝାଇଁ ହୋଇଯାଉଛି ଡାକ କର୍ମଚାରୀଙ୍କ ମୁଣ୍ଡ । ଚିଠି କେଉଁଠି ଦେବେ ବଢ଼ିଯାଉଛି ଚିନ୍ତା । ଗଳିକନ୍ଦି ଖୋଜୁ ଖୋଜୁ ଘଣ୍ଟା ଘଣ୍ଟା ବିତିଯାଉଛି । କେବେ ଠିକଣା ମିଳୁଛି ତ ଆଉ କେବେ ମିଳୁନି। ଅନେକ ସମୟରେ ଫେରିଯାଉଛି ଜରୁରି କାଗଜପତ୍ର, ଚିଠି । ଏହାର କାରଣ ବି ବଡ଼ ବିଚିତ୍ର । ଦୀର୍ଘ ତିନି ଦଶନ୍ଧି ତଳେ ହମିରପୁର ରାଉରକେଲା ଶିଳ୍ପାଞ୍ଚଳରୁ ବାଦ୍ ପଡ଼ିଲା । ସେବେଠୁ ପଞ୍ଚାୟତରେ ମିଶିବେ ନା ପୌରାଞ୍ଚଳରେ ସେହି ଦ୍ୱନ୍ଦ୍ୱରେ ଝୁଲିଛନ୍ତି ଅଞ୍ଚଳବାସୀ । ୧୬ ବସ୍ତିର ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ରହୁଥିବା ସତ୍ତ୍ଵେ ଏଠାରେ ଅଦ୍ୟାବଧି ୱାର୍ଡ ଗଠନ ହୋଇନାହିଁ । ନିର୍ଦ୍ଦିଷ୍ଟ ୱାର୍ଡ, ସାହିଗଳି, ଘର ନମ୍ବର ନ ଥିବାରୁ ଚିଠି, କୋରିୟର, ପାର୍ସଲ କିମ୍ବା ଅନ୍ୟ ଜରୁରି ସାମଗ୍ରୀ ଆସିଲେ ସମ୍ପୃକ୍ତ ବିଭାଗର କର୍ମଚାରୀ ଲୋକଙ୍କ ଠିକଣା ଖୋଜି ଖୋଜି ବାଉଳା ହେଉଛନ୍ତି ।
କୋଏଲ ନଦୀକୂଳରେ ବର୍ଷ ବର୍ଷ ଧରି ଠିକଣା ସମସ୍ୟାରେ ଧନ୍ଦି ହେଉଥିବା ହମିରପୁରର ବିକାଶ ଠପ୍ ହୋଇଯାଇଛି । ବସ୍ତିବାସୀଙ୍କୁ ଜନପ୍ରତିନିଧି ଭୋଟ୍ ବ୍ୟାଙ୍କ୍ ଭାବେ ବ୍ୟବହାର କରୁଥିବା ବେଳେ ପ୍ରଶାସନର ଅଣଦେଖା ସେମାନଙ୍କ ଜୀବନକୁ ଦୁର୍ବିସହ କରିଦେଲାଣି । ରାଉରକେଲା ସହର ଉପକଣ୍ଠର ଅନ୍ୟତମ ପୁରାତନ ବସତି ହମିରପୁର । ଜନସଂଖ୍ୟା ୨୦ ହଜାରରୁ ବେଶୀ । ଅଧିକାଂଶ ପରିବାର ଆଦିବାସୀ । ପ୍ରାୟ ୧୬ଟି ବସ୍ତିକୁ ନେଇ ଗଢ଼ି ଉଠିଥିବା ଉକ୍ତ ଅଞ୍ଚଳର ଭୋଟର ସଂଖ୍ୟା ୭ ହଜାରରୁ ଅଧିକ । ଥାନା ଓ ପୋଷ୍ଟ ଅଫିସ୍ ରହିଛି ସେକ୍ଟର-୧୯ରେ । ରଘୁନାଥପାଲି ବିଧାନସଭା ଆସନ ପାଇଁ ଏଠାକାର ଭୋଟର ମତଦାନ କରୁଛନ୍ତି । କିନ୍ତୁ ପଞ୍ଚାୟତ କି ପୌରାଞ୍ଚଳର ବାସିନ୍ଦା ବୋଲି ପଚାରିଲେ ସେମାନେ ଉତ୍ତର ଦେଇପାରୁନାହାନ୍ତି । ସବୁଠାରୁ ଉଦ୍ବେଗର ବିଷୟ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ବିଧିବଦ୍ଧ ଠିକଣା ମିଳିନାହିଁ । ଏବେ ବି ଚିଠି, ପାର୍ସଲ୍ ଉପରେ କେବଳ ହମିରପୁର ବୋଲି ଲେଖା ହୋଇ ଆସୁଛି । ୱାର୍ଡ ବର୍ଗୀକରଣ ହୋଇ ନ ଥିବାରୁ ଏତେ ବଡ଼ ଇଲାକାରେ ଘର ଖୋଜି ଠିକଣାରେ ପହଞ୍ଚିବା କାଠିକର ହେଉଛି । ସମ୍ପୃକ୍ତ ଲୋକଙ୍କୁ ଖୋଜି ଚିଠି, ପାର୍ସଲ କିମ୍ବା ଅନ୍ଲାଇନ୍ ଅର୍ଡର ସାମଗ୍ରୀ ଦେବାରେ ସମସ୍ୟା ଉପୁଜୁଛି । ପଞ୍ଚାୟତ କିମ୍ବା ପୌରାଞ୍ଚଳରେ ସାମିଲ ହୋଇପାରୁ ନ ଥିବାରୁ ହମିରପୁରର ହଜାର ହଜାର ଲୋକଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି । ସମଗ୍ର ଅଞ୍ଚଳର ବିକାଶ ଏକପ୍ରକାର ଅଟକି ଯାଇଛି । ପୌରପାଳିକା, ଆର୍ଏସ୍ପି କିମ୍ବା ପଞ୍ଚାୟତିରାଜ ବିଭାଗ ତରଫରୁ ଆଖିଦୃଶିଆ ଅନୁଦାନ ପ୍ରଦାନ କରାଯାଉ ନ ଥିବାରୁ ଲୋକେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି ।
ସୂଚନାଯୋଗ୍ୟ, ଏକଦା ହମିରପୁର ଇସ୍ପାତ ସହରାଞ୍ଚଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏସ୍ଟି) ଅଧୀନରେ ଥିଲା । ସେଠାକାର ଲୋକେ ମନ ପସନ୍ଦର ପରିଷଦ ଭୋଟ ଦେଇ ଚୟନ କରୁଥିଲେ । ବିକାଶରେ ଅଂଶୀଦାର ବି ହେଉଥିଲେ । କିନ୍ତୁ ୧୯୯୫ରେ ରାଜ୍ୟ ସରକାରଙ୍କ ସହ ଚୁକ୍ତି ପରେ ଅଧିକାଂଶ ଅଞ୍ଚଳ ଇଣ୍ଡଷ୍ଟ୍ରିଆଲ ଟାଉନ୍ (ଶିଳ୍ପାଞ୍ଚଳ) ଅଧୀନକୁ ଚାଲିଗଲା । ୧୯୯୮ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆର୍ଏସ୍ପି) କର୍ତ୍ତୃପକ୍ଷ ଶିଳ୍ପାଞ୍ଚଳରୁ ହମିରପୁରକୁ ବାଦ୍ ଦେଇଦେଲେ । ଏହା ପରଠୁ ଅଞ୍ଚଳବାସୀଙ୍କ ଠିକଣା ଏକପ୍ରକାର ହଜିଯାଇଛି । ବିଜେଡି ସରକାର ସମୟରେ ହମିରପୁରକୁ ପୁନର୍ବାର ପୌରାଞ୍ଚଳ ଅଧୀନକୁ ଆଣିବା ଲାଗି ପ୍ରୟାସ କରାଯାଇଥିଲା । ୨୦୨୩ରେ ଏ ସମ୍ପର୍କିତ ଜନଶୁଣାଣି ଓ ସର୍ଭେ ମଧ୍ୟ ହୋଇଥିଲା । କିନ୍ତୁ ରାଜସ୍ୱ ବିଭାଗର ସର୍ଭେ ରିପୋର୍ଟ ନାଲିଫିତା ତଳେ ମୁହଁମାଡ଼ି ପଡ଼ିଛି । ଅଞ୍ଚଳବାସୀଙ୍କ କହିବା କଥା, ହମିରପୁର କଲେଜକୁ ରାଉରକେଲା, ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ବେଦବ୍ୟାସ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ପଢ଼ିବାକୁ ଆସୁଛନ୍ତି । ଅଞ୍ଚଳରେ ଗଢ଼ି ଉଠିଥିବା ୧୬ ବସ୍ତିରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକ ରହୁଛନ୍ତି । ହେଲେ ସର୍ବନିମ୍ନ ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି । ସବୁଦିନିଆ ରାସ୍ତା, ଡ୍ରେନେଜ ବ୍ୟବସ୍ଥା, ଷ୍ଟିଟ୍ ଲାଇଟ୍, ଆମ ବସ୍ ସେବା ସ୍ୱପ୍ନ ପାଲଟିଛି । ୮ବର୍ଷ ତଳେ ଆରଏସ୍ପି ପକ୍ଷରୁ ସେକ୍ଟର-୧୯ କାର୍ମେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରୁ ହମିରପୁର ପର୍ଯ୍ୟନ୍ତ ସୋଲାର ଲାଇଟ୍ ଲଗାଯାଇ ଆଲୋକୀକରଣ କରାଯାଇଥିଲା । କିଛି ମାସ ଜଳିବା ପରେ ବ୍ୟାଟେରି ଚୋରି ହୋଇଗଲା । ସେବେଠୁ ସଞ୍ଜ ଗଡ଼ିଲେ ଅଞ୍ଚଳରେ ଅନ୍ଧାର ରାଜୁତି କରୁଛି ।
ୱାଟ୍କୋ ପକ୍ଷରୁ ପାଇପ୍ ବିଛା କାମ ସରିବା ପରେ ଖୋଳା ଯାଇଥିବା ରାସ୍ତା ପିଚୁ ଢଳେଇ କରାଗଲା ନାହିଁ । ଏବେ ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇଛି । ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଫେଲ୍ ମାରିଛି । କୁଢ଼ କୁଢ଼ ଆବର୍ଜନା ରାସ୍ତାକଡ଼ରେ ଗଦା ହୋଇ ରହୁଛି । ବାରମ୍ବାର ଦାବି ସତ୍ତେ୍ୱ ପ୍ରଶାସନ କିମ୍ବା ଜନପ୍ରତିନିଧି ସମସ୍ୟା ସମାଧାନ ଦିଗରେ ଆନ୍ତରିକତା ଦେଖାଉନାହାନ୍ତି । ଏହାକୁ ନେଇ ଅଞ୍ଚଳବାସୀଙ୍କ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ନିକଟରେ ବିଧାୟକ ଦୁର୍ଗାଚରଣ ତନ୍ତୀ ବସ୍ତି ଅଞ୍ଚଳ ପରିଦର୍ଶନ କରି ସମସ୍ୟାର ସମାଧାନ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ହମିରପୁର ପୌରାଞ୍ଚଳକୁ ଯିବ ନା ପଞ୍ଚାୟତକୁ ତାହାକୁ ନେଇ ଅଡୁଆ ଛିଣ୍ଡୁ ନ ଥିବାବେଳେ ନୂଆ ସରକାର ଏଥିପ୍ରତି ଆନ୍ତରିକତା ଦେଖାଇ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । କେବଳ ହମିରପୁର ନୁହଁ ତୁମକେଲା, ଲୁଆକେରା, ମିଶ୍ରଖଟାଲ, ବାଙ୍କିଆ ସମେତ ଆଉ କେତେକ ଅଞ୍ଚଳ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ରହିଥିଲେ ସୁଦ୍ଧା ପଞ୍ଚାୟତ, ପୌରପାଳିକା କି ଆରଏସ୍ପି ଅଧୀନରେ ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ ।