ଭୁବନେଶ୍ୱର, ୨୮/୦୩ (ପ୍ରଜ୍ଞା ଚୌଧୁରୀ)କେବଳ ନିଶାଯୁକ୍ତ ନୁହେଁ, ପୁଷ୍ଟିକର ପାନୀୟ ହୋଇପାରିବ ଆଦିବାସୀଙ୍କ ପାରମ୍ପରିକ ପାନୀୟ ‘ହାଣ୍ଡିଆ’ । ଆଇସିଏଆର-ସିଆରଆରଆଇ ପକ୍ଷରୁ ଚାଲିଥିବା ଗବେଷଣାରେ ହାଣ୍ଡିଆ ଏକ ଉତ୍କୃଷ୍ଟ ପୁଷ୍ଟିଯୁକ୍ତ ପାନୀୟ ହୋଇପାରିବ ବୋଲି ପ୍ରମାଣିତ ହୋଇଛି । ଏହାର ମାନ ନିର୍ଦ୍ଧାରଣ, ବ୍ୟବହାରଯୋଗ୍ୟ ସମୟ ଓ ପ୍ୟାକେଜିଂ ଉପରେ ଏବେ ଅଧିକ ଗବେଷଣା କରାଯାଉଛି । ସର୍ବସାଧାରଣଙ୍କ ବ୍ୟବହାର ଦୃଷ୍ଟିରୁ ଏହାକୁ ବଜାରରେ ପ୍ୟାକେଟ୍‌ରେ ଉପଲବ୍ଧ କରାଇବା ଲାଗି ଲକ୍ଷ୍ୟ ରହିଛି । ୨୦୨୫ ଅକ୍ଟୋବରରୁ ‘ହାଣ୍ଡିଆ’ ଉପରେ ସିଆରଆରଆଇ ବୈଜ୍ଞାନିକ ଟିମ୍ ଗବେଷଣା ଆରମ୍ଭ କରିଛନ୍ତି । ଗବେଷଣା ପୂର୍ବରୁ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳ ଗସ୍ତ କରି ଗବେଷକ ଦଳ ଏକ ସର୍ଭେ କରିଥିଲେ । ବିଭିନ୍ନ ଅଞ୍ଚଳକୁ ଯାଇ ସେମାନେ ଆଦିବାସୀଙ୍କଠାରୁ ହାଣ୍ଡିଆ ଲାଗି କଞ୍ଚାମାଲ ସଂଗ୍ରହ, ପାରମ୍ପରିକ ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର ସହ ଜଡ଼ିତ ତଥ୍ୟ ସଂଗ୍ରହ କରିଥିଲେ ।

ଏଥିସହ ଭିନ୍ନ ଭିନ୍ନ ପ୍ରକାର ହାଣ୍ଡିଆ ଓ ଏଥିରେ ମିଶାଯାଉଥିବା ବିଭିନ୍ନ ଚେରମୂଳି ଓ ଗୁଳ୍ମାଦିରୁ ପ୍ରସ୍ତୁତ ‘ରାନୁ’ ନମୁନା ସଂଗ୍ରହ କରି ଆଣିଥିଲେ । ଆଦିବାସୀମାନେ ମୁଖ୍ୟତଃ ରାସନ୍ ଚାଉଳରୁ ହାଣ୍ଡିଆ ପ୍ରସ୍ତୁତ କରୁଥିବା ସର୍ଭେରେ ଜଣାପଡ଼ିଛି । ଆଦିବାସୀମାନେ କହିଥିଲେ, ହାଣ୍ଡିଆ ବିଭିନ୍ନ ପ୍ରକାର ଚାଉଳରୁ ପ୍ରସ୍ତୁତ କରାଯାଇପାରିବ । ପଖାଳ ଭଳି ହାଣ୍ଡିଆ ବି ପେଟ ଥଣ୍ଡା ରଖିଥାଏ । ଏହା ପେଟରେ ଗ୍ୟାସ୍ ସମସ୍ୟା ହେବାକୁ ଦିଏ ନାହିଁ । ଏଥିସହ ଶରୀରରେ ଜଳୀୟଅଂଶ ମାତ୍ରା ନିୟନ୍ତ୍ରିତ ରଖେ । ଏପରିକି ପାରମ୍ପରିକ ହାଣ୍ଡିଆ ଜଣ୍ଡିସ୍ ଭଳି ରୋଗକୁ ଦୂର କରିବାର କ୍ଷମତା ରଖିଛି ବୋଲି ଆଦିବାସୀମାନେ ଦୃଢୋକ୍ତି ଦେଇଥିଲେ ।

ଆଦିବାସୀଙ୍କ ‘ହାଣ୍ଡିଆ’ ଉପରେ ଗବେଷଣା କରୁଛି ଆଇସିଏଆର-ସିଆରଆରଆଇ

ଏହିସବୁ ତଥ୍ୟ ଓ ନମୁନାକୁ ଆଧାର କରି ସିଆରଆରଆଇ ଟିମ୍ ଏବେ ଗବେଷଣା କରୁଛି । ଗବେଷକ ଟିମ୍ ଉଭୟ କଣ୍ଟ୍ରୋଲ ଚାଉଳ ଓ ସିଆରଆରଆଇ ଦ୍ୱାରା ବିକଶିତ ବିଭିନ୍ନ କିସମର ଚାଉଳକୁ ନେଇ ହାଣ୍ଡିଆ ପ୍ରସ୍ତୁତ କରି ଗବେଷଣା ଜାରି ରଖିଛନ୍ତି । ବର୍ତ୍ତମାନ ହାଣ୍ଡିଆର ମାନ ନିର୍ଦ୍ଧାରଣ ଉପରେ ଅଧିକ ଅନୁଧ୍ୟାନ କରାଯାଉଛି । ଏଥିରେ ରାନୁ ମିଶ୍ରଣର ପରିମାଣ ଓ ଆଲକହଲ୍ ମାତ୍ରାକୁ ନିୟନ୍ତ୍ରିତ କରାଯାଉଛି । ସାଧାରଣ ତାପମାତ୍ରାରେ ହାଣ୍ଡିଆର ‘ବ୍ୟବହାର ଯୋଗ୍ୟ ସମୟ’ ବୃଦ୍ଧି କରିବାକୁ ଗବେଷକମାନେ ଚେଷ୍ଟା କରୁଛନ୍ତି । ସରକାରଙ୍କ ଦ୍ୱାରା ମାନ ନିର୍ଦ୍ଧାରଣ କରାଗଲେ ହାଣ୍ଡିଆ ଏକ ନିଶାଯୁକ୍ତ ପାନୀୟ ବଦଳରେ ଦରକାରୀ ପୁଷ୍ଟିଯୁକ୍ତ ପାନୀୟ ହୋଇପାରିବ ବୋଲି ସିଆରଆରଆଇ ବୈଜ୍ଞାନିକ ଡ. ଶିବଶଙ୍କରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ :- ଛାତିଥରା ଦୁର୍ଘଟଣା : ରାସ୍ତାକଡ଼କୁ ଓଲଟିଲା ଟୁରିଷ୍ଟ ବସ୍, ୫ ମୃତ ୪୫ରୁ ଉର୍ଦ୍ଧ୍ଵ ଆହତ